ପ୍ରଶ୍ନପତ୍ର ଲିକ୍ ବିରୋଧରେ କଡ଼ା ଆଇନ ଆଣିବାକୁ ସରକାରଙ୍କ ପଦକ୍ଷେପ; ଲୋକସଭାରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍-୨୦୨୬ ଉପସ୍ଥାପିତ
ନୂଆଦିଲ୍ଲୀ: ଦେଶରେ ବାରମ୍ବାର ଘଟୁଥିବା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର କଡ଼ା ଆଇନ ଆଣିବା ଦିଗରେ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ‘ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍-୨୦୨୬’ ଉପସ୍ଥାପନ କରିଛନ୍ତି।
ବିଲ୍ ଉପସ୍ଥାପନ ବେଳେ ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହା ସତ୍ତ୍ୱେ ବିଲ୍ ଗୃହରେ ଆଗତ ହୋଇଥିଲା। ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ହଟ୍ଟଗୋଳ ନକରି ବିଲ୍ ଉପରେ ଆଲୋଚନାରେ ଭାଗ ନେବାକୁ ଆହ୍ୱାନ କରିଥିଲେ। ପରେ ପ୍ରବଳ ବିଶୃଙ୍ଖଳା ଯୋଗୁଁ ଲୋକସଭାର କାର୍ଯ୍ୟବାହୀକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା।
ପ୍ରସ୍ତାବିତ ବିଲ୍ରେ ପ୍ରଶ୍ନପତ୍ର ଲିକ୍ ଭଳି ଅପରାଧ ପାଇଁ ଅତ୍ୟନ୍ତ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ ସହ ₹୧୦ କୋଟି ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏଥିସହ ପରୀକ୍ଷା ବ୍ୟବସ୍ଥାରେ ହୋଇଥିବା କ୍ଷତିର ଅର୍ଥ ମଧ୍ୟ ଦୋଷୀଙ୍କଠାରୁ ଆଦାୟ କରାଯିବ।
ବିଲ୍ରେ ଏହା ମଧ୍ୟ ପ୍ରସ୍ତାବ ରହିଛି ଯେ, ଏଭଳି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବ ଏବଂ ରାୟ ବିରୋଧରେ ହୋଇଥିବା ଅପିଲର ନିଷ୍ପତ୍ତି ତିନି ମାସ ମଧ୍ୟରେ ସରିବ, ଯାହାଦ୍ୱାରା ମାମଲା ବର୍ଷ ବର୍ଷ ଧରି ଝୁଲି ରହିବ ନାହିଁ।
ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ଓ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଅକ୍ଷୁଣ୍ଣ ରଖିବା ପାଇଁ ଏହି ବିଲ୍କୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।



