୧୪ ଲକ୍ଷର ଟିଏମଟି ରଡ୍ ଚୋରି ମାମଲାର ପର୍ଦ୍ଦାଫାଶ: ରେଙ୍ଗାଲି ପୋଲିସର ବଡ଼ ସଫଳତା, ଜଣେ ଗିରଫ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଥାନା ପୋଲିସ ୧୪ ଲକ୍ଷ ଟଙ୍କାର ଟିଏମଟି ରଡ୍ ଓ ଟିଏମଟି ରିଙ୍ଗ୍ ଚୋରି ଘଟଣାର ପର୍ଦ୍ଦାଫାଶ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ପୋଲିସ ସୂଚନା ଅନୁଯାୟୀ, ରେଙ୍ଗାଲିସ୍ଥିତ ଶ୍ୟାମ ମେଟାଲିକ୍ସରୁ ଆଠମଲ୍ଲିକକୁ ପଠାଯାଉଥିବା ୨୪.୬୬୦ ମେଟ୍ରିକ୍ ଟନ୍ ଟିଏମଟି ରଡ୍ ଓ ଟିଏମଟି ରିଙ୍ଗ୍ ବୋଝେଇ ଟ୍ରକ୍ ଚାଳକ ସହ ନିଖୋଜ ହୋଇଯାଇଥିଲା। ଏହି ସାମଗ୍ରୀର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହୋଇଥିବାରୁ ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ମୋବାଇଲ୍ ଲୋକେସନ୍ ଓ କଲ୍ ଡିଟେଲ୍ ରେକର୍ଡ (CDR) ବିଶ୍ଳେଷଣ ଆଧାରରେ ପୋଲିସ ୧୮ ବର୍ଷୀୟ ଅମରେଶ ଅମାନ୍ତଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ଟ୍ରକ୍ ମାଲିକ ଓ ଅନ୍ୟ ସହଯୋଗୀଙ୍କ ସହ ମିଶି ପୂର୍ବ ଯୋଜନା ଅନୁଯାୟୀ ଚୋରି କରିଥିବା ସ୍ୱୀକାର କରିଥିବା ପୋଲିସ କହିଛି।
ଅଭିଯୁକ୍ତଙ୍କ ସୂଚନା ଆଧାରରେ ଅନୁଗୁଳ ଜିଲ୍ଲା ପୂର୍ଣ୍ଣାକୋଟ ଥାନା ଅନ୍ତର୍ଗତ କୁମୁରୀ ଗ୍ରାମର ଏକ ଗୋଦାମରେ ଚଢ଼ାଉ କରାଯାଇ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିଲା। ଏହାସହ ଅଭିଯୁକ୍ତମାନଙ୍କ ମଧ୍ୟରେ ହୋଇଥିବା ହ୍ୱାଟସ୍ଆପ୍ ଚାଟ୍ ଥିବା ଏକ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତ ଅମରେଶ ଅମାନ୍ତ ସୁନ୍ଦରଗଡ଼ ଜିଲ୍ଲାର ମହୁଲପଡ଼ା ଥାନା ଅନ୍ତର୍ଗତ ଜିନାକେଲା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ ତାଙ୍କଠାରୁ ୮, ୧୦, ୧୨ ଓ ୧୬ ମିଲିମିଟର ଟିଏମଟି ରଡ୍ର ଶତାଧିକ ବଣ୍ଡଲ୍ ସହ ୧୬୩ ବଣ୍ଡଲ୍ ଟିଏମଟି ରିଙ୍ଗ୍ ଜବତ କରିଛି।
ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ, ଏହି ଚୋରି ରାକେଟ୍ରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ରେଙ୍ଗାଲି ପୋଲିସର ତଦନ୍ତ ଜାରି ରହିଛି।



