ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ ପାଠପଢ଼ା; ୧୪୦.୭୩ କୋଟି ଟଙ୍କାର ଯୋଜନାକୁ କେନ୍ଦ୍ରର ମଞ୍ଜୁରି
ଭୁବନେଶ୍ୱର: ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଘର ନିକଟରେ ଉଚ୍ଚ ମାଧ୍ୟମିକ ଶିକ୍ଷାର ସୁବିଧା ଯୋଗାଇବା ଲକ୍ଷ୍ୟରେ ଓଡ଼ିଶା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସମଗ୍ର ଶିକ୍ଷା ଯୋଜନା ଅଧୀନରେ ରାଜ୍ୟର ୭୧ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ବିଦ୍ୟାଳୟରେ ଉନ୍ନୀତ କରିବା ପ୍ରସ୍ତାବକୁ ପ୍ରକଳ୍ପ ଅନୁମୋଦନ ବୋର୍ଡ (PAB) ସବୁଜ ସଙ୍କେତ ଦେଇଛି। ଏଥିପାଇଁ ₹୧୪୦ କୋଟି ୭୩ ଲକ୍ଷ ୮୦ ହଜାର ବ୍ୟୟକୁ ମଧ୍ୟ ଅନୁମୋଦନ କରାଯାଇଛି।
ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ଅନୁମୋଦନ ସମ୍ପର୍କରେ ଅବଗତ କରାଯାଇଛି। ସମଗ୍ର ଶିକ୍ଷାର ବାର୍ଷିକ କାର୍ଯ୍ୟଯୋଜନା ଓ ବଜେଟ୍ (AWP&B) ୨୦୨୬–୨୭ ଅନୁଯାୟୀ ଜିଲ୍ଲାପାଳଙ୍କ ସୁପାରିସ ଆଧାରରେ ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ମଞ୍ଜୁରି ମିଳିଛି।
ଅନୁମୋଦିତ ୭୧ଟି ବିଦ୍ୟାଳୟ ମଧ୍ୟରୁ ୬୦ଟିରେ କଳା ବିଭାଗ ଏବଂ ୧୧ଟିରେ ବିଜ୍ଞାନ ବିଭାଗ ଖୋଲାଯିବ। କଳା ବିଭାଗ ପାଇଁ ପ୍ରତି ବିଦ୍ୟାଳୟରେ ₹୧.୮୬ କୋଟି ଏବଂ ବିଜ୍ଞାନ ବିଭାଗ ପାଇଁ ₹୨.୬୨ କୋଟି ବ୍ୟୟ କରାଯିବ। ଏହି ଅର୍ଥରେ ନୂଆ ଶ୍ରେଣୀଗୃହ, ପରୀକ୍ଷାଗାର, ଶିକ୍ଷାଦାନ ଭିତ୍ତିଭୂମି ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ବିକଶିତ କରାଯିବ।
ଜିଲ୍ଲାଭିତ୍ତିକ ତାଲିକାରେ ଗଞ୍ଜାମ ସର୍ବାଧିକ ୧୨ଟି ବିଦ୍ୟାଳୟ ସହ ପ୍ରଥମ ସ୍ଥାନରେ ରହିଛି। ଏହାପରେ ମାଲକାନଗିରିର ୬ଟି, ନବରଙ୍ଗପୁର, ବାଲେଶ୍ୱର ଓ ବଲାଙ୍ଗୀରର ୫ଟି ଲେଖାଏଁ ବିଦ୍ୟାଳୟ ଏହି ଯୋଜନାରେ ସାମିଲ ହୋଇଛି। ଅନୁଗୁଳ, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କଳାହାଣ୍ଡି, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, ସୁନ୍ଦରଗଡ଼ ସମେତ ମୋଟ ୨୦ଟି ଜିଲ୍ଲା ଏହାର ସୁବିଧା ପାଇବେ।
ପ୍ରଥମେ ରାଜ୍ୟ ସରକାର ୭୫ଟି ବିଦ୍ୟାଳୟ ପାଇଁ ପ୍ରସ୍ତାବ ଦେଇଥିଲେ। ଯାଞ୍ଚ ପରେ ୭୧ଟି ବିଦ୍ୟାଳୟକୁ ମଞ୍ଜୁରି ମିଳିଥିବାବେଳେ ବାକି ପ୍ରସ୍ତାବଗୁଡ଼ିକ ଆବଶ୍ୟକ ମାନଦଣ୍ଡ ପୂରଣ ନ କରିଥିବାରୁ ଅନୁମୋଦିତ ହୋଇନାହିଁ।
ଏହି ପଦକ୍ଷେପ ଫଳରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଯୁକ୍ତ ଦୁଇ ପାଠପଢ଼ା ପାଇଁ ଦୂର ସ୍ଥାନକୁ ଯିବାର ଆବଶ୍ୟକତା କମିବ ଏବଂ ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷାର ପରିସର ଆହୁରି ବ୍ୟାପକ ହେବ।



