ବ୍ରିକ୍ସ ଶିକ୍ଷା ବୈଠକ ପାଇଁ ଭୁବନେଶ୍ୱରରେ ଜମିଲା ବିଶ୍ୱ ଶିକ୍ଷା ମଞ୍ଚ; ପହଞ୍ଚିଲେ ବିଦେଶୀ ପ୍ରତିନିଧି
ଭୁବନେଶ୍ୱର, ୬ ଅଗଷ୍ଟ: ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ତ୍ରୟୋଦଶ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ବୈଠକ ଓ ତୃତୀୟ ବ୍ରିକ୍ସ ବରିଷ୍ଠ ଅଧିକାରୀ ବୈଠକ ପାଇଁ ବ୍ରିକ୍ସ ସଦସ୍ୟ ଦେଶମାନଙ୍କର ପ୍ରତିନିଧିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିଦେଶୀ ଅତିଥିଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରାଯାଇଛି।
ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବାରୁ ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକଗୁଡ଼ିକର ଆୟୋଜନ ଭୁବନେଶ୍ୱରରେ କରାଯାଉଛି। ଆସନ୍ତା ୭ ତାରିଖରେ ହେବାକୁ ଥିବା ମୁଖ୍ୟ ଶିକ୍ଷାମନ୍ତ୍ରୀ ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧ୍ୟକ୍ଷତା କରିବେ।
ବୈଠକରେ ବ୍ରାଜିଲ, ରୁଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ ବ୍ରିକ୍ସ ସଦସ୍ୟ ଦେଶର ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ପରସ୍ପର ସହଯୋଗ, ଗବେଷଣା, ନବସୃଜନ, ଷ୍ଟାର୍ଟଅପ୍ ପ୍ରୋତ୍ସାହନ, ଯୋଗ୍ୟତାର ଆପୋସ ସ୍ୱୀକୃତି (MRQ) ଏବଂ ଶୈକ୍ଷିକ ନେତୃତ୍ୱର ବିକାଶ ଭଳି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବେ।
‘ଦୃଢ଼ତା, ନବନିର୍ମାଣ, ସହଯୋଗ ଏବଂ ଦୀର୍ଘସ୍ଥାୟିତ୍ୱ ପାଇଁ ନିର୍ମାଣ‘ ଥିମ୍କୁ ଆଧାର କରି ଆୟୋଜିତ ଏହି ବୈଠକରେ ଲୋକ-କୈନ୍ଦ୍ରିକ ଓ ମାନବତା-ପ୍ରଥମ ଆଭିମୁଖ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ଆଲୋଚନା ବ୍ରିକ୍ସ ଏଜୁକେସନ୍ ଟ୍ରାକ୍–୨୦୨୬ ପାଇଁ ନୂଆ ଦିଗ ନିର୍ଦ୍ଦେଶ କରିବ ବୋଲି ଆଶା କରାଯାଉଛି।
ଏହାସହ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣକୁ ମଧ୍ୟ ପ୍ରାଧାନ୍ୟ ଦେଇଛି। ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବ୍ରିକ୍ସର କାର୍ଯ୍ୟପ୍ରଣାଳୀ, ବହୁପାକ୍ଷିକ କୂଟନୀତି ଏବଂ ଆନ୍ତର୍ଜାତିକ ସହଯୋଗ ସମ୍ପର୍କରେ ଅଧିକ ସଚେତନ କରିବା ସହ ସେମାନଙ୍କ ନେତୃତ୍ୱ ଦକ୍ଷତାର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।



