ପାର୍ସୀ ସମୁଦାୟ ପାଇଁ ‘ଜିଓ ପାର୍ସୀ’ ଯୋଜନା: ୫୩୪ ଶିଶୁଙ୍କ ଜନ୍ମ, ୧୬୦୦ରୁ ଅଧିକ ଲାଭାର୍ଥୀଙ୍କୁ ସହାୟତା
ନୂଆଦିଲ୍ଲୀ: ଦେଶର ପାର୍ସୀ ସମୁଦାୟର ହ୍ରାସ ପାଉଥିବା ଜନସଂଖ୍ୟାକୁ ସ୍ଥିର କରିବା ଏବଂ ସମୁଦାୟର ସାମାଜିକ-ସ୍ୱାସ୍ଥ୍ୟଗତ ଆବଶ୍ୟକତା ପୂରଣ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ‘ଜିଓ ପାର୍ସୀ’ ଯୋଜନା ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଆସୁଛି। ୨୦୧୩ରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଚିକିତ୍ସା, ସ୍ୱାସ୍ଥ୍ୟ ସହାୟତା ଓ ସଚେତନତା ଭଳି କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି।
ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ପାର୍ସୀ ସମୁଦାୟର ୫୮୨ ଜଣଙ୍କୁ ବନ୍ଧ୍ୟତ୍ୱ ସମସ୍ୟାର ଚିକିତ୍ସା, ଗର୍ଭଧାରଣ, ପ୍ରସବ ଓ ପ୍ରସବ ପରବର୍ତ୍ତୀ ଯତ୍ନ ପାଇଁ ଆର୍ଥିକ ସହାୟତା ମିଳିଛି। ସେହିପରି ୨୦୧୮-୧୯ରୁ ‘Health of Community’ ଉପାଦାନ ଅଧୀନରେ ୧୦୫୫ ଜଣ ଲାଭାର୍ଥୀ ଆର୍ଥିକ ସହାୟତା ପାଇଛନ୍ତି।
୨୦୧୪-୧୫ରୁ ଜନ୍ମ ନେଲେ ୫୩୪ ଶିଶୁ
‘ଜିଓ ପାର୍ସୀ’ ଯୋଜନାର ସବୁଠାରୁ ବଡ଼ ସକାରାତ୍ମକ ପ୍ରଭାବ ଭାବେ ପାର୍ସୀ ସମୁଦାୟରେ ଜନ୍ମହାର ବୃଦ୍ଧିକୁ ଦେଖାଯାଉଛି। ୨୦୧୪-୧୫ରୁ ଏପର୍ଯ୍ୟନ୍ତ ସମୁଦାୟରେ ମୋଟ ୫୩୪ ଶିଶୁ ଜନ୍ମ ନେଇଛନ୍ତି। ଏହି ଜନ୍ମଗୁଡ଼ିକ ହ୍ରାସମାନ ପାର୍ସୀ ଜନସଂଖ୍ୟାକୁ ସ୍ଥିର କରିବା ଦିଗରେ ଆଶାର ଆଲୋକ ସୃଷ୍ଟି କରିଛି।
ସ୍ୱାଧୀନ ତୃତୀୟପକ୍ଷ ଦ୍ୱାରା କରାଯାଇଥିବା ମୂଲ୍ୟାୟନ ଅଧ୍ୟୟନରେ ମଧ୍ୟ ଏହି ଯୋଜନା ନିଜ ଲକ୍ଷ୍ୟ ପୂରଣରେ ସଫଳ ହୋଇଥିବା ଦର୍ଶାଯାଇଛି।
ତିନି ବର୍ଷରେ ୯ କୋଟିରୁ ଅଧିକ ଖର୍ଚ୍ଚ
ଗତ ତିନି ଆର୍ଥିକ ବର୍ଷରେ ଯୋଜନା ଅଧୀନରେ ଚିକିତ୍ସା, ସମୁଦାୟ ସ୍ୱାସ୍ଥ୍ୟ ଓ ସଚେତନତା ପାଇଁ ଆର୍ଥିକ ବ୍ୟୟ କରାଯାଇଛି।
| ଆର୍ଥିକ ବର୍ଷ | ମେଡିକାଲ୍ | ସମୁଦାୟ ସ୍ୱାସ୍ଥ୍ୟ | ସଚେତନତା |
|---|---|---|---|
| ୨୦୨୩-୨୪ | ₹୦.୧୧ କୋଟି | ₹୨.୫୩ କୋଟି | ₹୦.୧୦ କୋଟି |
| ୨୦୨୪-୨୫ | ₹୦.୩୯ କୋଟି | ₹୨.୬୬ କୋଟି | ₹୦.୦୬ କୋଟି |
| ୨୦୨୫-୨୬ | ₹୦.୨୪ କୋଟି | ₹୨.୯୩ କୋଟି | ₹୦.୨୯ କୋଟି |
ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ ୩୭.୪୩ କୋଟି ଟଙ୍କା ବ୍ୟୟ ହୋଇଛି।
ସଚେତନତା ପାଇଁ ୱର୍କସପ୍ ଓ ପଞ୍ଜୀକରଣ ଅଭିଯାନ
ପାର୍ସୀ ସମୁଦାୟ ମଧ୍ୟରେ ଯୋଜନା ସମ୍ପର୍କରେ ସଚେତନତା ବଢ଼ାଇବାକୁ ବିଭିନ୍ନ ପ୍ରଚାର କାର୍ଯ୍ୟକ୍ରମ, ୱର୍କସପ୍, ଆଲୋଚନାଚକ୍ର, ପଞ୍ଜୀକରଣ ଅଭିଯାନ ଓ ବାୟୋ-ଅଥେଣ୍ଟିକେସନ୍ ଡ୍ରାଇଭ୍ ଆୟୋଜନ କରାଯାଉଛି। ପ୍ରତିମାସ ପ୍ରମୁଖ ପାର୍ସୀ ସମ୍ବାଦପତ୍ର ମାଧ୍ୟମରେ ମଧ୍ୟ ‘ଜିଓ ପାର୍ସୀ’ ଯୋଜନାର କାର୍ଯ୍ୟକାରିତା ସମ୍ପର୍କିତ ସୂଚନା ପ୍ରସାର କରାଯାଉଛି।
ଏ ସମ୍ପର୍କିତ ସୂଚନା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ୍ ରିଜିଜୁ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଦେଇଛନ୍ତି।



