ଷ୍ଟ୍ରିଟ୍ ଭେଣ୍ଡରଙ୍କ ପାଇଁ ବଡ଼ ଆଶ୍ୱାସନ: PM SVANidhiରେ ୧.୧୫ କୋଟିରୁ ଅଧିକ ବିନା ଜମାନତ ଋଣ
ନୂଆଦିଲ୍ଲୀ: ଦେଶର ସହରାଞ୍ଚଳର ରାସ୍ତାକଡ଼ ବ୍ୟବସାୟୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବାରେ PM SVANidhi ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ୧ ଜୁନ୍ ୨୦୨୦ରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ୧୨ ଜୁଲାଇ ୨୦୨୬ ସୁଦ୍ଧା ୭୬.୯୫ ଲକ୍ଷ ଷ୍ଟ୍ରିଟ୍ ଭେଣ୍ଡର ୧.୧୫ କୋଟିରୁ ଅଧିକ ବିନା ଜମାନତ ଋଣ ନେଇଛନ୍ତି। ଏହି ଋଣର ମୋଟ ମୂଲ୍ୟ ପ୍ରାୟ ୧୮,୪୭୫ କୋଟି ଟଙ୍କା।
ବ୍ୟବସାୟ ଆୟରେ ୨୦% ବୃଦ୍ଧି
PM SVANidhiର ସାମାଜିକ ଓ ଆର୍ଥିକ ପ୍ରଭାବ ନେଇ ହାଇଦ୍ରାବାଦସ୍ଥିତ Indian School of Business (ISB) ପକ୍ଷରୁ ୨୦୨୩ ଓ ୨୦୨୫ରେ ଅଧ୍ୟୟନ କରାଯାଇଥିଲା।
୨୦୨୩ର ଅଧ୍ୟୟନରେ ଦେଶର ୧୦୦ଟି Urban Local Bodiesର ୫,୦୦୦ରୁ ଅଧିକ ହିତାଧିକାରୀ ସାମିଲ ହୋଇଥିଲେ। ଏଥିରେ ୯୫% ହିତାଧିକାରୀଙ୍କ ପାଇଁ PM SVANidhi ଋଣ ହେଉଛି ବ୍ୟାଙ୍କରୁ ନିଆଯାଇଥିବା ପ୍ରଥମ ଋଣ ବୋଲି ଜଣାପଡ଼ିଥିଲା।
୨୦୨୫ର ଅଧ୍ୟୟନରେ ୯୯ଟି ସହରାଞ୍ଚଳର ୫,୦୦୦ରୁ ଅଧିକ ହିତାଧିକାରୀଙ୍କୁ ନେଇ ସର୍ବେ କରାଯାଇଥିଲା। ୨୦୨୩ରୁ ୨୦୨୫ ମଧ୍ୟରେ PM SVANidhi ଋଣ ନେଇଥିବା ବ୍ୟବସାୟୀଙ୍କ ବାର୍ଷିକ ବ୍ୟବସାୟିକ ଆୟରେ ପ୍ରାୟ ୨୦% ବୃଦ୍ଧି ଘଟିଥିବା ଅଧ୍ୟୟନରୁ ଜଣାପଡ଼ିଛି।
ଡିଜିଟାଲ୍ ପେମେଣ୍ଟରେ ମଧ୍ୟ ବଡ଼ ଅଗ୍ରଗତି
ଯୋଜନା ଦ୍ୱାରା ଷ୍ଟ୍ରିଟ୍ ଭେଣ୍ଡରମାନେ ଔପଚାରିକ ଋଣ ବ୍ୟବସ୍ଥା ସହ ଯୋଡ଼ି ହେବା ସହିତ ନିଜର କ୍ରେଡିଟ୍ ଇତିହାସ ମଧ୍ୟ ଗଢ଼ିପାରୁଛନ୍ତି। ପ୍ରାୟ ୩୦% ଋଣଗ୍ରହୀତା PM SVANidhi ବ୍ୟତୀତ ଅନ୍ୟ ଋଣ ମଧ୍ୟ ନେଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
ସେହିପରି ୨୦୨୩ରୁ ୨୦୨୫ ମଧ୍ୟରେ ଷ୍ଟ୍ରିଟ୍ ଭେଣ୍ଡରଙ୍କ ମଧ୍ୟରେ ଡିଜିଟାଲ୍ ପେମେଣ୍ଟର ବ୍ୟବହାର ଉଲ୍ଲେଖନୀୟ ଭାବେ ବଢ଼ିଛି। ଯୋଜନା ଆରମ୍ଭରୁ ମେ ୨୦୨୬ ପର୍ଯ୍ୟନ୍ତ ୮୭୫ କୋଟିରୁ ଅଧିକ ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍ ହୋଇଛି ଏବଂ ଡିଜିଟାଲ୍ କାରବାର ପାଇଁ ଭେଣ୍ଡରମାନଙ୍କୁ ୪୧୨ କୋଟି ଟଙ୍କା କ୍ୟାଶବ୍ୟାକ୍ ପ୍ରଦାନ କରାଯାଇଛି।
ପର୍ଯ୍ୟାୟକ୍ରମେ ବଢ଼ୁଛି ଋଣର ପରିମାଣ
ସମୟରେ ଋଣ ପରିଶୋଧ କରୁଥିବା ବ୍ୟବସାୟୀଙ୍କୁ ପରବର୍ତ୍ତୀ ଋଣ ପର୍ଯ୍ୟାୟକୁ ଯିବାର ସୁଯୋଗ ମିଳୁଛି। ୧୨ ଜୁଲାଇ ୨୦୨୬ ସୁଦ୍ଧା ୨୯.୭୧ ଲକ୍ଷ ଭେଣ୍ଡର ଦ୍ୱିତୀୟ ପର୍ଯ୍ୟାୟର ଋଣ ଏବଂ ୮.୪୯ ଲକ୍ଷ ଭେଣ୍ଡର ତୃତୀୟ ପର୍ଯ୍ୟାୟର ଋଣ ନେଇଛନ୍ତି।
ପରିବାରକୁ ମିଳୁଛି ସାମାଜିକ ସୁରକ୍ଷା
PM SVANidhiର ‘SVANidhi se Samriddhi’ ଉପାଦାନ ୪ ଜାନୁଆରୀ ୨୦୨୧ରେ ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ଭେଣ୍ଡର ଓ ତାଙ୍କ ପରିବାରକୁ ୮ଟି କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନା ସହ ଯୋଡ଼ାଯାଉଛି। ଏଥିରେ ଜୀବନ ବୀମା, ଦୁର୍ଘଟଣା ବୀମା, ଜନଧନ ଯୋଜନା, ଶ୍ରମିକ ପଞ୍ଜୀକରଣ, ପେନ୍ସନ୍, ରାସନ୍ କାର୍ଡ ପୋର୍ଟାବିଲିଟି ଏବଂ ମାତୃତ୍ୱ ସହାୟତା ଭଳି ଯୋଜନା ରହିଛି।
୧୨ ଜୁଲାଇ ୨୦୨୬ ସୁଦ୍ଧା ୫୦.୬୩ ଲକ୍ଷ PM SVANidhi ହିତାଧିକାରୀଙ୍କ ସାମାଜିକ-ଆର୍ଥିକ ପ୍ରୋଫାଇଲିଂ ସମ୍ପୂର୍ଣ୍ଣ ହୋଇଛି ଏବଂ ସେମାନଙ୍କ ପାଇଁ ମୋଟ ୧.୫୬ କୋଟି ଯୋଜନା ସୁବିଧାର ମଞ୍ଜୁରି ଦିଆଯାଇଛି।
ଏ ସମ୍ପର୍କିତ ସୂଚନା ଆବାସ ଓ ସହର ବ୍ୟାପାର ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଶ୍ରୀ ତୋଖନ ସାହୁ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ପ୍ରଦାନ କରିଛନ୍ତି।



