ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ, ପ୍ରକ୍ରିୟା ତ୍ୱରାନ୍ୱିତ
ଭୁବନେଶ୍ୱର: ଦୁର୍ନୀତି ବିରୋଧୀ ଲଢ଼େଇକୁ ଆହୁରି ସୁଦୃଢ଼ କରିବା ସହ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଓଡ଼ିଶାରେ ଖୁବଶୀଘ୍ର ଲୋକାୟୁକ୍ତ ଗଠନ ହେବାକୁ ଥିବାବେଳେ ଏନେଇ ସରକାରୀ ପ୍ରକ୍ରିୟା ଜୋରଦାର ହୋଇଛି।
ସୋମବାର ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।
ଲୋକାୟୁକ୍ତ ଗଠନ ନେଇ ହେଲା ଆଲୋଚନା
ବୈଠକରେ ଲୋକାୟୁକ୍ତ ଗଠନ ସମ୍ପର୍କିତ ବିଭିନ୍ନ ପ୍ରକ୍ରିୟା, ନିୟମ ଏବଂ ଆନୁଷଙ୍ଗିକ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଗଠନ ପ୍ରକ୍ରିୟାକୁ କିପରି ଶୀଘ୍ର ଶେଷ କରାଯିବ, ସେନେଇ ମଧ୍ୟ ବୈଠକରେ ମତବିନିମୟ ହୋଇଥିବା ସୂଚନା ମିଳିଛି।
ବୈଠକ ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ଖୁବଶୀଘ୍ର ଲୋକାୟୁକ୍ତ ଗଠନ କରାଯିବ।
ସ୍ୱଚ୍ଛ ଶାସନ ଉପରେ ଗୁରୁତ୍ୱ
ଦୁର୍ନୀତି ନିୟନ୍ତ୍ରଣ ଏବଂ ସରକାରୀ ବ୍ୟବସ୍ଥାରେ ଜବାବଦେହିତା ବଢ଼ାଇବାରେ ଲୋକାୟୁକ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହାର ଗଠନ ପ୍ରକ୍ରିୟା ଉପରେ ସରକାର ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି।
ଏବେ ଲୋକାୟୁକ୍ତ ଗଠନର ଔପଚାରିକ ପ୍ରକ୍ରିୟା କେବେ ସମ୍ପୂର୍ଣ୍ଣ ହେବ ଏବଂ ନୂଆ ସଂସ୍ଥା କେବେ କାର୍ଯ୍ୟକ୍ଷମ ହେବ, ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି।



