ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ନିଶାମୁକ୍ତ ଯୁବସମାଜ’କୁ ନେଇ ‘ବିକଶିତ ଭାରତ ଯୁବ କନେକ୍ଟ’ ଅନୁଷ୍ଠିତ
ଢେଙ୍କାନାଳ, ଅଗଷ୍ଟ ୧୨: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏନ୍.ଏସ୍.ଏସ୍. (NSS) ସହ-ଶାଖା ପକ୍ଷରୁ “ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବସମାଜ” ବିଷୟବସ୍ତୁକୁ ନେଇ ‘ବିକଶିତ ଭାରତ ଯୁବ କନେକ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ଅଧ୍ୟକ୍ଷ ଡ. ପୂର୍ଣ୍ଣ ଚନ୍ଦ୍ର ବରାଳ ପୌରୋହିତ୍ୟ କରି ନିଶାମୁକ୍ତ ଯୁବସମାଜର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଆମର ଯୁବପିଢ଼ି ନିଶାମୁକ୍ତ ହେଲେ ହିଁ ଆମେ ଏକ ବିକଶିତ ରାଷ୍ଟ୍ର ଗଠନ କରିପାରିବା ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ନିଶାଦ୍ରବ୍ୟ ସେବନରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।
ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଡ. ରବର୍ଟ ୱିଲସନ୍ ଭତ୍ରା ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯିଏ କି ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ଯୁବ ପ୍ରତୀକ ସତ୍ୟପ୍ରକାଶ ମିଶ୍ର ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାର ମାର୍ଗଚିତ୍ର ସମ୍ପର୍କରେ ସଭାକୁ ସମ୍ବୋଧିତ କରିଥିଲେ। ଅନ୍ୟପଟେ ଶ୍ରୀ ଏସ୍.କେ. ଭଞ୍ଜ ଯୁବପିଢ଼ିଙ୍କ ମଧ୍ୟରେ ନିଶା ନିବାରଣ ଏବଂ ନିଶାସକ୍ତରୁ ମୁକ୍ତି ପାଇଁ ବ୍ୟାବହାରିକ ପଦକ୍ଷେପ ଓ ରଣନୀତି ବିଷୟରେ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ କୁମାରୀ ଶ୍ରଦ୍ଧାଞ୍ଜଳି ସ୍ୱାଇଁ ପ୍ରୋଗ୍ରାମ ଅଫିସର ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଞ୍ଚାଳନ କରିଥିବା ବେଳେ ଏନ୍.ଏସ୍.ଏସ୍. ସ୍ୱେଚ୍ଛାସେବୀ ରିତୁପର୍ଣ୍ଣା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ, ଏନ୍.ଏସ୍.ଏସ୍. ସ୍ୱେଚ୍ଛାସେବୀ ଏବଂ ଅଧ୍ୟାପକ-ଅଧ୍ୟାପିକା ଯୋଗ ଦେଇଥିଲେ। ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ, ସରକାରୀ ପଲିଟେକ୍ନିକ୍ କଲେଜ, ସିନର୍ଜି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଢେଙ୍କାନାଳ ଏକାଡେମୀ ଅଫ୍ ମେଡିକାଲ୍ ସାଇନ୍ସ, ମହିଳା ଡିଗ୍ରୀ କଲେଜ ଏବଂ ଢେଙ୍କାନାଳ ସଦରସ୍ଥିତ ଭାରତୀୟ ସଂଚାର ସଂସ୍ଥାନ (IIMC) ସମେତ ବିଭିନ୍ନ ସ୍ଥାନୀୟ ଅନୁଷ୍ଠାନର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିଥିଲେ।



