ଶହୀଦ ବନକର୍ମଚାରୀଙ୍କୁ ଗଜ ଗୌରବ ସମ୍ମାନ: ସ୍ୱର୍ଗତ ଯୁଗଳ ନାଏକଙ୍କ ତ୍ୟାଗକୁ ମିଳିଲା ଜାତୀୟ ସ୍ୱୀକୃତି

ଅନୁଗୋଳ/ବିଶାଖାପାଟଣା: ବନ୍ୟଜନ୍ତୁ ସୁରକ୍ଷା ଓ ହାତୀ ସଂରକ୍ଷଣ କ୍ଷେତ୍ରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱର୍ଗତ ଯୁଗଳ ନାଏକଙ୍କ ଅମୂଲ୍ୟ ସେବାକୁ ମିଳିଛି ସମ୍ମାନ। ବିଶ୍ୱ ହାତୀ ଦିବସ-୨୦୨୬ ଅବସରରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଆୟୋଜିତ ସମାରୋହରେ ତାଙ୍କୁ ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି ପ୍ରତିଷ୍ଠିତ ‘ଗଜ ଗୌରବ ପୁରସ୍କାର-୨୦୨୬’।
ଅନୁଗୋଳ ବନଖଣ୍ଡର ସ୍କ୍ୱାଡ୍ରେ କାର୍ଯ୍ୟରତ ଥିବା ସ୍ୱର୍ଗତ ଯୁଗଳ ନାଏକଙ୍କ ପକ୍ଷରୁ ତାଙ୍କ ପତ୍ନୀ ଶ୍ରୀମତୀ ଶୁଭା ନାଏକ, ଫରେଷ୍ଟର ଶ୍ରୀମତୀ ରୀତାରାଣୀ ସେଠୀଙ୍କ ସହ ଏହି ସମ୍ମାନ ଗ୍ରହଣ କରିଥିଲେ।
ସମାରୋହରେ କେନ୍ଦ୍ର ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବ, ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଶ୍ରୀ କୋନିଡେଲା ପବନ କଲ୍ୟାଣ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଓ ଅଧିକାରୀ ଉପସ୍ଥିତ ଥିଲେ।
୨୫ ଜୁନ ୨୦୨୫ରେ ହାତୀଙ୍କ ଗତିବିଧି ମନିଟରିଂ ଓ ଟ୍ରାକିଂ କରୁଥିବା ସମୟରେ କର୍ତ୍ତବ୍ୟରତ ଅବସ୍ଥାରେ ଯୁଗଳ ନାଏକ ପ୍ରାଣ ହରାଇଥିଲେ। ବନ୍ୟଜନ୍ତୁ ସୁରକ୍ଷା ପ୍ରତି ତାଙ୍କର ସାହସ, ନିଷ୍ଠା ଓ ନିଃସ୍ୱାର୍ଥ ସେବା ତାଙ୍କୁ ସହକର୍ମୀ ଓ ସମାଜ ପାଇଁ ଏକ ପ୍ରେରଣାରେ ପରିଣତ କରିଛି।
‘ଗଜ ଗୌରବ’ ସମ୍ମାନ କେବଳ ଜଣେ ବନକର୍ମଚାରୀଙ୍କ ତ୍ୟାଗକୁ ସମ୍ମାନିତ କରିନାହିଁ, ବରଂ ହାତୀ ଓ ଜଙ୍ଗଲ ସୁରକ୍ଷାରେ ଦିନରାତି କାର୍ଯ୍ୟରତ ସମସ୍ତ ଫ୍ରଣ୍ଟଲାଇନ୍ ବନକର୍ମଚାରୀଙ୍କ ସେବାକୁ ମଧ୍ୟ ସ୍ୱୀକୃତି ଦେଇଛି।
ଯୁଗଳ ନାଏକଙ୍କ ତ୍ୟାଗ ଅମର। ତାଙ୍କ ସେବାର ସ୍ମୃତି ହାତୀ ସଂରକ୍ଷଣ ଓ ମଣିଷ-ହାତୀ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ପଥରେ ସଦା ପ୍ରେରଣା ହୋଇ ରହିବ।




