ବିଭାଜନର ଯନ୍ତ୍ରଣାରୁ ଉଠି ଦେଶ ଗଢ଼ିଥିବା ଲୋକଙ୍କୁ ମୋଦୀଙ୍କ ସ୍ମରଣ
ନୂଆଦିଲ୍ଲୀ: ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭାଜନ ସମୟରେ ଅକଥନୀୟ ଯନ୍ତ୍ରଣା ସହିଥିବା ଏବଂ ପରେ ନିଜ ଜୀବନକୁ ଶୂନ୍ୟରୁ ପୁନଃ ଗଢ଼ି ଦେଶର ପ୍ରଗତିରେ ଅମୂଲ୍ୟ ଅବଦାନ ରଖିଥିବା ସମସ୍ତ ଦେଶବାସୀଙ୍କୁ ସ୍ମରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭାଜନ ଭାରତୀୟ ଇତିହାସର ଏକ ଅତ୍ୟନ୍ତ ଦୁଃଖଦ ଅଧ୍ୟାୟ। ଏହି ସମୟରେ ଅନେକ ପରିବାର ଉଜୁଡ଼ି ଯାଇଥିଲେ, ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହରାଇଥିଲେ ଏବଂ ଅସହ୍ୟ ଯନ୍ତ୍ରଣା ଭୋଗିଥିଲେ। ତଥାପି ପୀଡ଼ିତମାନେ ହାର ନମାନି ଶୂନ୍ୟରୁ ନିଜ ଜୀବନକୁ ପୁନଃ ଗଢ଼ିଥିଲେ।
ବିପରୀତ ପରିସ୍ଥିତିକୁ ସୁଯୋଗରେ ପରିଣତ କରି ସେମାନେ ଦେଶର ଅର୍ଥନୀତି, ସମାଜ ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ। ସେମାନଙ୍କ ଜୀବନ ସଂଘର୍ଷ ମାନବୀୟ ଜିଜୀବିଷା ଓ ଅଦମ୍ୟ ସାହସର ଏକ ବଡ଼ ଉଦାହରଣ ବୋଲି ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଦେଶରେ ସଦ୍ଭାବନା, ଭାଇଚାରା ଓ ଏକତାକୁ ଆହୁରି ମଜବୁତ କରିବା ସହ ‘ବିକଶିତ ଭାରତ’ ନିର୍ମାଣ ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ଆହ୍ୱାନ ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ ସଫଳତା ପାଇଁ କେବଳ ଭାଗ୍ୟ ଉପରେ ନିର୍ଭର ନକରି ପରିଶ୍ରମ, ସାହସ, କର୍ମଠତା ଓ ନିରନ୍ତର ପ୍ରୟାସ ଆବଶ୍ୟକ। ଉଦ୍ୟମ ଓ ସମର୍ପିତ ପ୍ରୟାସ ଦ୍ୱାରା କଳା, ବିଜ୍ଞାନ, ପ୍ରଯୁକ୍ତି, ଶିଳ୍ପ ଓ ନବସୃଜନର ବିକାଶ ସମ୍ଭବ ହୁଏ। ତେଣୁ ଦୃଢ଼ ସଙ୍କଳ୍ପ ସହ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବା ହିଁ ସଫଳତାର ମାର୍ଗ ବୋଲି ସେ ବାର୍ତ୍ତା ଦେଇଛନ୍ତି।
ବିଭାଜନର ଯନ୍ତ୍ରଣାକୁ ସ୍ମରଣ କରି, ଏକତା ଓ ସଦ୍ଭାବନାର ଭାରତ ଗଢ଼ିବାକୁ ଆସନ୍ତୁ—ଏହି ଦିନର ମୁଖ୍ୟ ସନ୍ଦେଶ।



