କଟକ ମହାନଗର ଶାନ୍ତି କମିଟି କାର୍ଯ୍ୟାଳୟର ନବୀକରଣ ଗୃହ ଉଦ୍ଘାଟିତ

: କଟକ ମହାନଗର ଶାନ୍ତି କମିଟିର ଦରଘା ବଜାରସ୍ଥିତ କାର୍ଯ୍ୟାଳୟ ଗୃହର ନବୀକରଣ ପରେ ଉଦ୍ଘାଟନ ଉତ୍ସବ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି, ସମ୍ପ୍ରୀତି ଓ ଭାଇଚାରାର ସହର କଟକରେ ଏହି କାର୍ଯ୍ୟାଳୟ ଗୃହ ନବୀକରଣ ହେବାକୁ ନେଇ ଶାନ୍ତି କମିଟିର ସଦସ୍ୟ ଓ ସହରବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ଏହି ଉତ୍ସବରେ ଆଇନ, ଗୃହ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍ଘାଟକ ଭାବେ ଯୋଗଦେଇ ଥିଲେ। ସମ୍ମାନୀୟ ଅତିଥି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ୍, ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, କଟକ ମହାନଗର ନିଗମର ମେୟର ସୁବାଷ ସିଂହ ପ୍ରମୁଖ ଯୋଗଦେଇଥିଲେ।
ଏଥିସହ କଟକ ମହାନଗର ପୂଜା କମିଟିର ସାଧାରଣ ସମ୍ପାଦକ ପ୍ରଭାତ ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୂର୍ବତନ, କର୍ପୋରେଟର ଅରୁନ୍ଧତୀ କରଙ୍କ ସମେତ ବିଭିନ୍ନ ଦଳର ନେତା ଓ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ।
ଉତ୍ସବରେ କଂଗ୍ରେସର ବରିଷ୍ଠ ନେତା ସୁରେଶ ମହାପାତ୍ର, ବିଜେପିର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ବିଜେପି କଟକ ନଗର ଜିଲ୍ଲା ସଭାପତି ସୁକାନ୍ତ କୁମାର ବିଶ୍ୱାଳ, ସିପିଆଇ ନେତା ଅମରେନ୍ଦୁ ମହାନ୍ତି, ସିପିଆଇ(ଏମ୍) ନେତା ବଦ୍ରିନାରାୟଣ ଦାସ ଓ ବିଜେଡି କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଯୋଗଦେଇଥିଲେ।
କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। କମିଟିର ସାଧାରଣ ସମ୍ପାଦକ ଭିକାରୀ ଦାସଙ୍କୁ କଟକ ଶାନ୍ତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
କଟକ ସହରରେ ଦୀର୍ଘଦିନ ଧରି ଶାନ୍ତି, ସମ୍ପ୍ରୀତି ଓ ସାମାଜିକ ଏକତା ବଜାୟ ରଖିବା ଦିଗରେ ଶାନ୍ତି କମିଟିର ଭୂମିକା ରହିଆସିଛି। ନବୀକରଣ ହୋଇଥିବା କାର୍ଯ୍ୟାଳୟ ଗୃହ ଆଗାମୀ ଦିନରେ କମିଟିର ବିଭିନ୍ନ ସାମାଜିକ ଓ ସମ୍ପ୍ରୀତିମୂଳକ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି।



