ଅନୁଗୋଳ ବିକାଶରେ ନୂଆ ଅଧ୍ୟାୟ, ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ
ଅନୁଗୋଳ: ଅନୁଗୋଳ କଦମ ପଡ଼ିଆରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସକୁ ନେଇ ଏକ ବିଶେଷ ସମାରୋହ ଅନୁଷ୍ଠିତ ହୋଇଛି। ସହରର ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ସୌନ୍ଦର୍ଯ୍ୟକରଣ, ସ୍ୱଚ୍ଛତା, ପରିବେଶ ସୁରକ୍ଷା, କ୍ରୀଡ଼ା ଓ ଆଇନଶୃଙ୍ଖଳା କ୍ଷେତ୍ରରେ ନୂଆ ସେବାର ଶୁଭାରମ୍ଭ କରାଯାଇଛି।
ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଡିଏମ୍ଏଫ୍ ପାଣ୍ଠିକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଭିତ୍ତିଭୂମି ଭଳି ମୌଳିକ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକୁ ଆଗକୁ ନିଆଯାଉଛି।
ଅନୁଗୋଳକୁ ଆଗାମୀ ଦିନରେ ଏକ ମଡେଲ୍ ଜିଲ୍ଲା ଭାବେ ଗଢ଼ିତୋଳିବା ଲକ୍ଷ୍ୟ ରଖାଯାଇଛି। ୨୦୩୬ର ବିକଶିତ ଓଡ଼ିଶା ଏବଂ ୨୦୪୭ର ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ‘ସ୍କିଲ୍, ସ୍କେଲ୍ ଓ କ୍ୱାଲିଟି’ ଉପରେ ଗୁରୁତ୍ୱ ଦିଆଯାଇଛି।
ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ସହ ନାଗରିକଙ୍କୁ ଉନ୍ନତ ସେବା ଯୋଗାଇବା, ସହରର ପରିବେଶକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ଏବଂ ଭିତ୍ତିଭୂମିର ବିକାଶ ମାଧ୍ୟମରେ ଅନୁଗୋଳକୁ ଏକ ଆଧୁନିକ ଓ ସୁବ୍ୟବସ୍ଥିତ ସହର ଭାବେ ଗଢ଼ିବା ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ବୋଲି କୁହାଯାଉଛି।



