ବନ୍ୟା ପୀଡ଼ିତଙ୍କ ପାଇଁ ୧୦୦୦ କୋଟିର ପ୍ୟାକେଜ୍: ଚାଷୀଙ୍କୁ ହେକ୍ଟର ପିଛା ମିଳିବ ଏତିକି
ଭୁବନେଶ୍ୱର, ୧୮ ଅଗଷ୍ଟ: ରାଜ୍ୟର ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା ପରେ ବନ୍ୟା ପ୍ରଭାବିତଙ୍କ ପାଇଁ ବଡ଼ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାଥମିକ ଭାବେ ୧୦୦୦ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍ ଘୋଷଣା କରାଯାଇଛି। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସହାୟତାର ପରିମାଣ ଆହୁରି ବଢ଼ିପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଫସଲ କ୍ଷତିରେ ଚାଷୀଙ୍କୁ ସହାୟତା
୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ସରକାରୀ ସହାୟତା ମିଳିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭,୦୦୦ ଟଙ୍କା ଏବଂ ୧୨ ମାସୀ ଫସଲ କ୍ଷତି ହେଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ସହାୟତା ଦିଆଯିବ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବା ପାଇଁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ବନ୍ୟା ପରେ ରୋଗପୋକ ଯୋଗୁଁ ଫସଲ କ୍ଷତି ହେଲେ ୭୫ ପ୍ରତିଶତ ସବସିଡି ମିଳିବ।
କୃଷି ଓ ମତ୍ସ୍ୟ କ୍ଷେତ୍ରକୁ ବି ସହାୟତା
କ୍ଷତିଗ୍ରସ୍ତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବ। ପ୍ରାଣୀ ସମ୍ପଦ କ୍ଷତି ପାଇଁ କ୍ଷତିପୂରଣ ଦିଆଯିବ। ପୋଖରୀ, ଡଙ୍ଗା ଓ ମାଛଧରା ଜାଲ ନଷ୍ଟ ହୋଇଥିଲେ ମଧ୍ୟ ମିଳିବ ଆର୍ଥିକ ସହାୟତା। ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପମିଆଦୀ ଖରିଫ ଋଣକୁ ମଧ୍ୟମ ଅବଧିର କୃଷି ଋଣରେ ପରିବର୍ତ୍ତନ କରାଯିବ।
ବନ୍ୟାରେ କ୍ଷତିଗ୍ରସ୍ତ ହସ୍ତଶିଳ୍ପୀମାନଙ୍କୁ ୫,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ବାସନକୁସନ ଓ ପୋଷାକ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରିଲିଫ୍ ଚାଉଳ ବଣ୍ଟନ ଜାରି ରହିବ।
୬ ଜିଲ୍ଲାରେ ବନ୍ୟା ସ୍ଥିତି
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲଗାତାର ବନ୍ୟା ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ବ୍ୟାପକ ପ୍ରଭାବ ପଡ଼ିଛି। ଯାଜପୁରର ୧୦ଟି ବ୍ଲକ୍ର ୨୭୦ଟି ଗାଁର ପ୍ରାୟ ୨ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସେଠାରେ ୨୦୩ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି। ଭଦ୍ରକର ୪ଟି ବ୍ଲକ୍ର ୧୪୯ଟି ଗାଁ ମଧ୍ୟ ବନ୍ୟା ପ୍ରଭାବିତ ହୋଇଛି।
ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ମଧ୍ୟ ବନ୍ୟା ସ୍ଥିତି ଦେଖାଦେଇଛି। ମୋଟ ୬ଟି ଜିଲ୍ଲାର ୭୪ଟି ବ୍ଲକ୍ ବନ୍ୟା ପ୍ରଭାବିତ ହୋଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୪୫ଟି ଓଡ୍ରାଫ୍ ଓ ୮ଟି ଏନ୍ଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି।
‘ଜିରୋ କାଜୁଆଲିଟି’ ଉପରେ ସରକାରଙ୍କ ଫୋକସ୍
ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ‘ଜିରୋ କାଜୁଆଲିଟି’। ବନ୍ୟାଞ୍ଚଳରେ ଗ୍ରାଉଣ୍ଡ ସର୍ଭେର ଗୁରୁତ୍ୱ ଅଧିକ ଥିବାରୁ ସେ ନିଜେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିବା କହିଛନ୍ତି। ଶହେରୁ ଅଧିକ ଲୋକଙ୍କୁ ସାପ କାମୁଡ଼ିଥିଲେ ମଧ୍ୟ ସରକାରଙ୍କ ପ୍ରସ୍ତୁତି ଯୋଗୁଁ ସାପ କାମୁଡ଼ାରେ କାହାର ମୃତ୍ୟୁ ହୋଇନଥିବା ସେ ସୂଚନା ଦେଇଛନ୍ତି।



