ହୀରାକୁଦରୁ ଖୋଲିଲା ଆଉ ୩ ଗେଟ୍, ମୋଟ ୧୦ ଗେଟ୍ରେ ଚାଲିଛି ଜଳ ନିଷ୍କାସନ
ସମ୍ବଲପୁର, ୧୮ ଅଗଷ୍ଟ: ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଜଳ ପ୍ରବେଶ ବଢ଼ିଛି। ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।
ଅନ୍ୟପଟେ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଛି। ପ୍ରବଳ ବର୍ଷା ଆଶଙ୍କାରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାର ବର୍ଷା ରେକର୍ଡ ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ସର୍ବାଧିକ ୨୭୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀନାଳରେ ଜଳସ୍ତର ବଢ଼ିବାରେ ଲାଗିଛି। ହୀରାକୁଦରୁ ଅଧିକ ପାଣି ନିଷ୍କାସନ ହେଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ମଧ୍ୟ ବଢ଼ିଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ନଜରଦାରୀ ବଢ଼ାଯାଇଛି।
ନଦୀ ଓ ଜଳାଶୟ ନିକଟକୁ ନଯିବା ସହ ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ବର୍ଷାର ପରିମାଣ ଏବଂ ହୀରାକୁଦରୁ ଜଳ ନିଷ୍କାସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି।



