ଓଡ଼ିଶାକୁ ବଡ଼ ରେଳ ଭେଟି: ୩ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରି
ନୂଆଦିଲ୍ଲୀ: ଓଡ଼ିଶାର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟରେ ରେଳ ମନ୍ତ୍ରଣାଳୟର ୪ଟି ରେଳ ପ୍ରକଳ୍ପକୁ ଅନୁମୋଦନ କରିଛି। ଏଥିରୁ ୩ଟି ପ୍ରକଳ୍ପ ଓଡ଼ିଶା ସହ ସିଧାସଳଖ ଭାବେ ଜଡ଼ିତ।
ମଞ୍ଜୁରି ପାଇଥିବା ପ୍ରମୁଖ ଓଡ଼ିଶା ପ୍ରକଳ୍ପଗୁଡ଼ିକ ହେଲା ଖଡ଼ଗପୁର–ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ୍ ୧୭୩ କିମି, ଭଦ୍ରକ–ହରିଦାସପୁର ଚତୁର୍ଥ ଲାଇନ୍ ୭୫ କିମି ଏବଂ କଟକ–ପାରାଦୀପ (ବଡ଼ବନ୍ଧ) ତୃତୀୟ ଓ ଚତୁର୍ଥ ଲାଇନ୍ ୭୨ କିମି। ଅନ୍ୟ ପ୍ରକଳ୍ପଟି ହେଉଛି ଆନ୍ଧ୍ରପ୍ରଦେଶ–ତାମିଲନାଡୁ ଅଞ୍ଚଳର ଗୁମ୍ମିଡିପୁଣ୍ଡି–ଗୁଡୁର ତୃତୀୟ ଓ ଚତୁର୍ଥ ଲାଇନ୍।
ବଢ଼ିବ ରେଳ ଚଳାଚଳ କ୍ଷମତା
ଏହି ୪ଟି ପ୍ରକଳ୍ପ ମାଧ୍ୟମରେ ଭାରତୀୟ ରେଳ ନେଟୱାର୍କରେ ପ୍ରାୟ ୪୧୦ କିମି ନୂଆ ଲାଇନ୍ କ୍ଷମତା ଯୋଡ଼ିହେବ। ଫଳରେ ବର୍ତ୍ତମାନର ରେଳପଥରେ ଭିଡ଼ କମିବା ସହ ଟ୍ରେନ୍ ଚଳାଚଳ ଅଧିକ ସୁଗମ ଓ ନିର୍ଭରଯୋଗ୍ୟ ହେବ।
ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ୮ଟି ଜିଲ୍ଲାକୁ ଲାଭ ଦେବ। ପ୍ରାୟ ୬୦ ଲକ୍ଷ ଲୋକ ଏବଂ ୬,୪୪୮ଟି ଗାଁ ଏହାଦ୍ୱାରା ଉନ୍ନତ ରେଳ ଯୋଗାଯୋଗ ପାଇପାରିବେ।
ଶିଳ୍ପ ଓ ବାଣିଜ୍ୟକୁ ମିଳିବ ଗତି
ଏହି ରେଳପଥଗୁଡ଼ିକ କୋଇଲା, ଲୁହାପଥର, ସିମେଣ୍ଟ, ଲୁହା ଓ ଇସ୍ପାତ, କଣ୍ଟେନର, ଅଟୋମୋବାଇଲ୍ ଏବଂ ଶସ୍ୟ ଭଳି ବିଭିନ୍ନ ସାମଗ୍ରୀ ପରିବହନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବାର୍ଷିକ ପ୍ରାୟ ୭୬ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା ସୃଷ୍ଟି ହେବ।
ଏହାଦ୍ୱାରା ଶିଳ୍ପ, ବାଣିଜ୍ୟ ଓ ଲଜିଷ୍ଟିକ୍ସ କ୍ଷେତ୍ରକୁ ଲାଭ ମିଳିବା ସହ ଦେଶର ପରିବହନ ଖର୍ଚ୍ଚ ମଧ୍ୟ କମିବାର ଆଶା ରହିଛି।
ପର୍ଯ୍ୟଟନକୁ ମଧ୍ୟ ମିଳିବ ନୂଆ ଗତି
ରେଳ ସଂଯୋଗ ବଢ଼ିବା ଫଳରେ ଓଡ଼ିଶାର କୁଳଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା, ପଞ୍ଚଲିଙ୍ଗେଶ୍ୱର, ଚାନ୍ଦିପୁର, ତାଳସରୀ–ଉଦୟପୁର, ଧାମରାଇ ମନ୍ଦିର, ସାରଳା ମନ୍ଦିର, ଗଡ଼ କୁଜଙ୍ଗ ଜଗନ୍ନାଥ ମନ୍ଦିର, ଧବଳେଶ୍ୱର ମନ୍ଦିର ଓ ଲଳିତଗିରି ଭଳି ପର୍ଯ୍ୟଟନ ଏବଂ ଐତିହ୍ୟସ୍ଥଳୀକୁ ଯାତାୟାତ ଆହୁରି ସହଜ ହେବ।
ପରିବେଶ ସୁରକ୍ଷାରେ ମଧ୍ୟ ଫାଇଦା
ରେଳ ଭିତ୍ତିଭୂମିର ଏହି ବିସ୍ତାର କେବଳ ଯାତ୍ରୀ ଓ ମାଲ ପରିବହନକୁ ଦ୍ରୁତ କରିବ ନାହିଁ, ପରିବେଶ ସୁରକ୍ଷାରେ ମଧ୍ୟ ଅବଦାନ ରଖିବ। ଆକଳନ ଅନୁସାରେ, ଏହା ଦ୍ୱାରା ପ୍ରାୟ ୧୩ କୋଟି ଲିଟର ତୈଳ ଆମଦାନୀ ହ୍ରାସ ପାଇବ ଏବଂ ପ୍ରାୟ ୬୫ କୋଟି କିଲୋଗ୍ରାମ ଅଙ୍ଗାରକାମ୍ଳ ନିର୍ଗମନ କମିବ। ଏହା ପ୍ରାୟ ୨.୬ କୋଟି ଗଛ ଲଗାଇବା ସହ ସମାନ ବୋଲି ଆକଳନ କରାଯାଇଛି।
‘ପ୍ରଧାନମନ୍ତ୍ରୀ ଗତି ଶକ୍ତି’ ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ ଦେଶର ମଲ୍ଟି-ମୋଡାଲ୍ ପରିବହନ ଓ ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ। ଏହା ସହିତ ଓଡ଼ିଶାର ରେଳ, ଶିଳ୍ପ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରର ବିକାଶକୁ ନୂଆ ଗତି ମିଳିବାର ଆଶା କରାଯାଉଛି।



