ଗହଣା ଦୋକାନରେ ଲେଡି ଲୁଟେରାଙ୍କ ଲୁଟ୍, କାବୁ କଲା ପୋଲିସ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଡମଣା ଛକ ଅଞ୍ଚଳରେ ଗହଣା ଦୋକାନକୁ ଟାର୍ଗେଟ କରିଥିବା ଲେଡି ଲୁଟେରା ଗ୍ୟାଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗ୍ରାହକ ବେଶରେ ଗହଣା ଦୋକାନକୁ ପ୍ରବେଶ କରି ଲୁଟ୍ କରିଥିବା ଅଭିଯୋଗ ହୋଇଛି।
ଘଟଣାର ସମସ୍ତ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଲୁଟେରାଙ୍କୁ ଚିହ୍ନଟ କରିବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।
ପରେ ପିସିଆର୍ ଟିମ୍ ତତ୍ପରତା ଦେଖାଇ ଅଭିଯୁକ୍ତ ଲେଡି ଲୁଟେରାଙ୍କୁ କାବୁ କରିଥିଲା। ଏହି ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି, ଲୁଟ୍ ହୋଇଥିବା ଗହଣାର ପରିମାଣ କେତେ ଏବଂ ଏହି ଗ୍ୟାଙ୍ଗ ପୂର୍ବରୁ ଅନ୍ୟ କୌଣସି ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲା କି ନାହିଁ—ସେନେଇ ପୋଲିସର ତଦନ୍ତ ଜାରି ରହିଛି।



