ମୁଖ୍ୟମନ୍ତ୍ରୀଙ୍କ ୨୦ତମ ଅଭିଯୋଗ ଶୁଣାଣି: ୧୫,୩୨୭ ମଧ୍ୟରୁ ୧୪,୫୧୯ ଅଭିଯୋଗର ସମାଧାନ
ଭୁବନେଶ୍ୱର: ଲୋକଙ୍କ ସମସ୍ୟା ଶୁଣି ସମାଧାନ କରିବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ଓଡ଼ିଶା ସରକାର। ମଙ୍ଗଳବାର ଭୁବନେଶ୍ୱର ୟୁନିଟ୍-୨ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଛି ୨୦ତମ ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ୧୦ ଜଣ ମନ୍ତ୍ରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ସଚିବସ୍ତରୀୟ ଅଧିକାରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ସହାନୁଭୂତି, ସମବେଦନା ଓ ସହୃଦୟତା ହେଉଛି ଆମ ଶାସନ ବ୍ୟବସ୍ଥାର ମୂଳନୀତି।” ଲୋକଙ୍କ ସମସ୍ୟା ଯେଉଁଠି ରହିଛି, ସେଠାରେ ସରକାର ପହଞ୍ଚି ସମାଧାନ କରିବାକୁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
୯୫ ପ୍ରତିଶତ ଅଭିଯୋଗର ସମାଧାନ
ସରକାରୀ ସୂଚନା ଅନୁଯାୟୀ, ପୂର୍ବରୁ ହୋଇଥିବା ୧୯ଟି ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣିରେ ମୋଟ ୧୫,୩୨୭ଟି ଅଭିଯୋଗ ଆସିଥିଲା। ସେଥିରୁ ୧୪,୫୧୯ଟି ଅଭିଯୋଗ, ଅର୍ଥାତ୍ ପ୍ରାୟ ୯୫ ପ୍ରତିଶତ ଅଭିଯୋଗର ସମାଧାନ ହୋଇସାରିଛି।
ଜିଲ୍ଲାସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦିଆଯାଉଛି। ଜୁଲାଇ ଶେଷ ସୁଦ୍ଧା ଜିଲ୍ଲାସ୍ତରରେ ୨,୬୯,୩୯୪ଟି ଅଭିଯୋଗ ଶୁଣାଣି ହୋଇଥିବାବେଳେ ଏଥିରୁ ୮୭ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି।
୬୦୦ରୁ ଅଧିକ ଅଭିଯୋଗ ଗ୍ରହଣ
ଆଜିର ଅଭିଯୋଗ ଶୁଣାଣିରେ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ୬୦୦ରୁ ଅଧିକ ଅଭିଯୋଗପତ୍ର ଗ୍ରହଣ କରାଯାଇଛି। ସବୁଥର ପରି ମୁଖ୍ୟମନ୍ତ୍ରୀ ପ୍ରଥମେ ଅପେକ୍ଷାରତ ଭିନ୍ନକ୍ଷମ ଓ ଦୁରାରୋଗ୍ୟରେ ପୀଡ଼ିତ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ତୁରନ୍ତ ପଦକ୍ଷେପ ନେବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଦୁରାରୋଗ୍ୟରେ ପୀଡ଼ିତ ୧୬ ଜଣଙ୍କ ଚିକିତ୍ସା ପାଇଁ ୧୪.୫୦ ଲକ୍ଷ ଟଙ୍କା ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ମଞ୍ଜୁର କରାଯାଇଛି।
ଏକାଠି ହେଲେ ୧୦ ମନ୍ତ୍ରୀ
ଅଭିଯୋଗ ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ, ବାଣିଜ୍ୟ ଓ ପରିବହନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଖାଦ୍ୟ ଯୋଗାଣ, ସମବାୟ, ମତ୍ସ୍ୟ ଓ ପ୍ରାଣିସମ୍ପଦ, ଉଚ୍ଚଶିକ୍ଷା ଏବଂ ଜଙ୍ଗଲ-ପରିବେଶ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।
ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପ୍ରକ୍ରିୟାରେ ସହଯୋଗ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ସମୟରେ ମଧ୍ୟ ସରକାର ଲୋକଙ୍କ ପାଖରେ ରହିଛନ୍ତି। ଲୋକଙ୍କ ସୁଖ ଓ ଦୁଃଖରେ ସରକାର ସବୁବେଳେ ସାଥୀ ହୋଇ ରହିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।



