୧,୫୦୦ରୁ ଅଧିକ ସ୍ଥାନରେ ‘ଖେଲୋ ଇଣ୍ଡିଆ ଡାଏଲଗ୍’: ଯୁବଶକ୍ତି ସହ କ୍ରୀଡ଼ା ଓ ରାଷ୍ଟ୍ର ନିର୍ମାଣ ଉପରେ ହେବ ଆଲୋଚନା
ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଅବସରରେ ଆସନ୍ତା ୨୭ ଅଗଷ୍ଟରେ ଦେଶବ୍ୟାପୀ ଆୟୋଜିତ ହେବ ‘ଖେଲୋ ଇଣ୍ଡିଆ ଡାଏଲଗ୍—ଖେଲ୍ କି ବାତ୍, ପ୍ରଧାନମନ୍ତ୍ରୀ ମୋଦୀ କେ ସାଥ୍’। ଦେଶର ୧,୫୦୦ରୁ ଅଧିକ ସ୍ଥାନରେ ଯୁବବର୍ଗ, କ୍ରୀଡ଼ାବିତ୍ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଏହି ବୃହତ୍ କାର୍ଯ୍ୟକ୍ରମରେ ସାମିଲ ହେବେ।
ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର କ୍ରୀଡ଼ା ବ୍ୟବସ୍ଥା, ଯୁବ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣ ସମ୍ପର୍କିତ ବିଷୟରେ ଯୁବବର୍ଗଙ୍କ ମତାମତ ଓ ଚିନ୍ତାଧାରାକୁ ଏକ ବଡ଼ ମଞ୍ଚ ଦେବା। IIT, IIM, NIT, AIIMS, ପ୍ରମୁଖ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।
ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ିହେବେ ପ୍ରଧାନମନ୍ତ୍ରୀ
କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରିବେ। ତାଙ୍କ ସମ୍ବୋଧନ ପରେ ଦେଶର ସମସ୍ତ କାର୍ଯ୍ୟକ୍ରମସ୍ଥଳୀରେ ଏକ ସମୟରେ ଆଲୋଚନା ଓ ପ୍ରତ୍ୟକ୍ଷ କାର୍ଯ୍ୟକ୍ରମ ଆରମ୍ଭ ହେବ।
୪ଟି ପ୍ରମୁଖ ବିଷୟ ଉପରେ ଚର୍ଚ୍ଚା
ଯୁବ ଅଂଶଗ୍ରହଣକାରୀମାନେ ମୁଖ୍ୟତଃ ୪ଟି ବିଷୟ ଉପରେ ନିଜର ମତ ରଖିବେ। ସେଗୁଡ଼ିକ ହେଲା—
- ତୃଣମୂଳ ସ୍ତରରେ କ୍ରୀଡ଼ା ସୁବିଧା, କୋଚିଂ ଓ ସୁଯୋଗ ବୃଦ୍ଧି।
- ବୈଜ୍ଞାନିକ ଭାବେ ପ୍ରତିଭା ଚିହ୍ନଟ କରି ୨୦୩୬ ଅଲିମ୍ପିକ୍ସ ପାଇଁ ଆଥଲେଟ୍ ପ୍ରସ୍ତୁତି।
- ଯୁବ ନେତୃତ୍ୱ ଓ ଶାସନ ବ୍ୟବସ୍ଥାରେ ଯୁବବର୍ଗଙ୍କ ଭାଗିଦାରୀ ବଢ଼ାଇବା।
- ଭବିଷ୍ୟତମୁଖୀ ଦକ୍ଷତା, ସ୍ୱେଚ୍ଛାସେବା ଓ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କୁ ଅଧିକ ସୁଯୋଗ ଦେବା।
ଯୁବଙ୍କ ସହ ଯୋଡ଼ିହେବେ ଅଲିମ୍ପିକ୍ ପଦକ ବିଜେତା
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହେବ ଦେଶର ଖ୍ୟାତନାମା କ୍ରୀଡ଼ାବିତ୍ମାନଙ୍କ ସହ ଯୁବପିଢ଼ିର ସିଧାସଳଖ ଆଲୋଚନା। ଦୀପା କର୍ମାକର, ସାଇନା ନେହୱାଲ, ଗଗନ ନାରଙ୍ଗ, ଶ୍ରୀଜେଶ, ମେରୀ କମ୍, ବାଇଚୁଙ୍ଗ ଭୁଟିଆ, ପୁଲେଲା ଗୋପୀଚାନ୍ଦ, ଅଞ୍ଜୁ ବବି ଜର୍ଜ, କର୍ଣ୍ଣମ ମଲ୍ଲେଶ୍ୱରୀ, ମୀରାବାଇ ଚାନୁ ଓ ପି.ଟି. ଉଷାଙ୍କ ସମେତ ବହୁ ପ୍ରମୁଖ କ୍ରୀଡ଼ାବିତ୍ ନିଜ ଅଭିଜ୍ଞତା ଓ ସଂଘର୍ଷର କାହାଣୀ ଯୁବମାନଙ୍କ ସହ ବାଣ୍ଟିବେ।
କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ କ୍ରୀଡ଼ାମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଯୁବମାନଙ୍କ ସହ ଆଲୋଚନା କରିବେ।
ଏହା ସହ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍ କୁଇଜ୍’ ମଧ୍ୟ ଆୟୋଜନ କରାଯିବ। ଯୁବମାନଙ୍କୁ ମାଇଁ ଭାରତ ପୋର୍ଟାଲରେ ପଞ୍ଜୀକରଣ ପାଇଁ ଉତ୍ସାହିତ କରାଯିବ।
‘ଖେଲୋ ଇଣ୍ଡିଆ ଡାଏଲଗ୍’ ମାଧ୍ୟମରେ ଯୁବମାନଙ୍କ ଆକାଂକ୍ଷା, କ୍ରୀଡ଼ା ଅଭିଜ୍ଞତା ଓ ନୀତିଗତ ଚିନ୍ତାଧାରାକୁ ଏକ ମଞ୍ଚରେ ଆଣି ଭାରତର ଭବିଷ୍ୟତ କ୍ରୀଡ଼ା ଓ ଯୁବ ନୀତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।



