ଚାଇଁପାଳ ଓଭରବ୍ରିଜ୍ରେ ମର୍ମନ୍ତୁଦ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ
ତାଳଚେର: ତାଳଚେର ଚାଇଁପାଳ ଓଭରବ୍ରିଜ୍ ଉପରେ ମଙ୍ଗଳବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଛି।
ସୂଚନା ଅନୁଯାୟୀ, ମହିଳା ଜଣକ ସ୍କୁଟି ଯୋଗେ ଚାଇଁପାଳ ଓଭରବ୍ରିଜ୍ ଦେଇ ଯାଉଥିବା ସମୟରେ ପଛପଟୁ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିବା କୁହାଯାଉଛି। ଧକ୍କା ଏତେ ଜୋର୍ଦାର ଥିଲା ଯେ ମହିଳା ଜଣକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଓଭରବ୍ରିଜ୍ ଉପରେ କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତ ମହିଳାଙ୍କ ପରିଚୟ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ସେ ହିନ୍ଦୋଳ ଅଞ୍ଚଳର ବୋଲି ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଧକ୍କା ଦେଇଥିବା ଗାଡ଼ି ଓ ଚାଳକଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।



