ଆଇଏଏସ୍-ଓଏଏସ୍ ସ୍ତରରେ ବଡ଼ ଅଦଳବଦଳ, ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଆସିଲେ ସଞ୍ଜୟ ବିଶ୍ୱାଳ
ଭୁବନେଶ୍ୱର, ଜାଗ୍ରତ ଭାରତ ନ୍ୟୁଜ୍: ଓଡ଼ିଶା ସରକାର ପ୍ରଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମଙ୍ଗଳବାର ଜାରି ବିଜ୍ଞପ୍ତି ଅନୁଯାୟୀ ୭ ଜଣ ଆଇଏଏସ୍ ଏବଂ ୧୧ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।
ଏହି ଅଦଳବଦଳରେ ୨୦୧୫ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ସୂଚନା ଓ ଲୋକସମ୍ପର୍କ (I&PR) ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏପର୍ଯ୍ୟନ୍ତ ଏହି ପଦବୀରେ ଥିବା ଓଏଏସ୍ ଅଧିକାରୀ ଅନୁଜ କୁମାର ଦାଶ ପଟ୍ଟନାୟକଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ କରାଯାଇଛି।
ଅନ୍ୟପଟେ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କୋରକୋରା ଗୃହ ବିଭାଗର ଅତିରିକ୍ତ ସଚିବ ହୋଇଥିବାବେଳେ, ଯୁଗଳେଶ୍ୱରୀ ଦାଶ ନୂଆ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ହୋଇଛନ୍ତି। ଆରାଧନା ଦାସଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ବଦଳି କରାଯାଇଛି।
ଏହାଛଡ଼ା ଅର୍ଚ୍ଚନା ଦାସ ପଟ୍ଟନାୟକ ଆୟୁଷ ନିର୍ଦ୍ଦେଶକ ଏବଂ ଅଞ୍ଜନା ପଣ୍ଡା ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ଦାୟିତ୍ୱ ପାଇଛନ୍ତି। ସୁନ୍ଦରମାଧବ ପାଢ଼ୀଙ୍କୁ ଓଡ଼ିଶା ମେରିଟାଇମ୍ ବୋର୍ଡର ସିଇଓ ସହ ଓଏସଆରଟିସିର ଜେନେରାଲ ମ୍ୟାନେଜରର ଅତିରିକ୍ତ ଦାୟିତ୍ୱ ମିଳିଛି।
ଓଏଏସ୍ ସ୍ତରରେ ମଧ୍ୟ ବବିତା ମହାନ୍ତି, ହିମାଂଶୁ ଶେଖର ବେହେରା, କଳ୍ପତରୁ ବେହେରା, ସନ୍ତୋଷୀ ସାହୁ, ମନସ୍ୱିନୀ ସାହୁ, ଦେବବ୍ରତ ମଲ୍ଲିକ, ପ୍ରକାଶ ଚନ୍ଦ୍ର ମହାନ୍ତି, ଜୟଶ୍ରୀ ସେନାପତି, ସ୍ୱରୂପାନନ୍ଦ ସାହୁ, ପରେଶ କୁମାର ନାୟକ ଓ ଚିତ୍ତରଞ୍ଜନ ମହାନ୍ତଙ୍କ ସମେତ ଅନେକ ଅଧିକାରୀଙ୍କୁ ନୂଆ ପୋଷ୍ଟିଂ ଦିଆଯାଇଛି।
୭ ଦିନ ମଧ୍ୟରେ ନୂଆ ପଦବୀରେ ଯୋଗଦେବାକୁ ନିର୍ଦ୍ଦେଶ
ରାଜ୍ୟ ସରକାର ବଦଳି ହୋଇଥିବା ସମସ୍ତ ଅଧିକାରୀଙ୍କୁ ୭ ଦିନ ମଧ୍ୟରେ କାର୍ଯ୍ୟମୁକ୍ତ ହୋଇ କୌଣସି ଛୁଟି ନନେଇ ନୂଆ ପଦବୀରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧ ଅପରାହ୍ନ ସୁଦ୍ଧା ଯୋଗ ନକଲେ ସେମାନଙ୍କୁ କେନ୍ଦ୍ରୀୟ ଭାବେ କାର୍ଯ୍ୟମୁକ୍ତ ହୋଇଥିବା ବୋଲି ବିବେଚନା କରାଯିବ।



