ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଅଗଷ୍ଟ ୨୮ରେ ‘ସୁଭଦ୍ରା’ର ପଞ୍ଚମ କିସ୍ତି, ୧.୦୩ କୋଟିରୁ ଅଧିକ ମହିଳା ପାଇବେ ଟଙ୍କା
ନୂଆଦିଲ୍ଲୀ/ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଆସନ୍ତା ଅଗଷ୍ଟ ୨୮, ୨୦୨୬ ରାଖୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ରୁ ହେବାକୁ ଥିବା ପଞ୍ଚମ କିସ୍ତି ବଣ୍ଟନର ପ୍ରସ୍ତୁତି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।
୧.୦୩ କୋଟି ମହିଳାଙ୍କୁ ମିଳିବ ଟଙ୍କା
ପଞ୍ଚମ କିସ୍ତିରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ୫,୦୦୦ ଟଙ୍କା ଲେଖାଏଁ DBT ମାଧ୍ୟମରେ ମିଳିବ। ସରକାରଙ୍କ ପ୍ରସ୍ତୁତି ଅନୁଯାୟୀ, ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ମହିଳା ଏହି କିସ୍ତି ପାଇବାକୁ ମନୋନୀତ ହୋଇଛନ୍ତି। ଏଥିପାଇଁ ୫,୧୬୦ କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର ହେବ।
ଇ-କେୱାଇସିରୁ NPCI ମ୍ୟାପିଂ, ସବୁ ପ୍ରସ୍ତୁତ
ହିତାଧିକାରୀଙ୍କ ନିକଟରେ ଯେପରି ବିନା ବିଳମ୍ବରେ ଟଙ୍କା ପହଞ୍ଚିବ, ସେଥିପାଇଁ ଯାଞ୍ଚ ପ୍ରକ୍ରିୟାକୁ ସୁଦୃଢ଼ କରାଯାଇଛି। ଇ-କେୱାଇସି, ଆଧାର ସଂଯୋଗୀକୃତ ବ୍ୟାଙ୍କ ଖାତା, NPCI ମ୍ୟାପିଂ ସହିତ ଅନ୍ୟାନ୍ୟ ବ୍ୟାଙ୍କିଂ ବ୍ୟବସ୍ଥାକୁ ସୁସଂଗଠିତ କରାଯାଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।
୫ ବର୍ଷରେ ୫୦ ହଜାର ଟଙ୍କା
୨୦୨୪ ମସିହା ସେପ୍ଟେମ୍ବର ୧୭ରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ମହିଳା-କେନ୍ଦ୍ରିକ ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ୫ ବର୍ଷ ମଧ୍ୟରେ ମୋଟ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ରହିଛି। ପ୍ରତିବର୍ଷ ୧୦,୦୦୦ ଟଙ୍କା ଦୁଇଟି ସମାନ କିସ୍ତିରେ DBT ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଉଛି।
ମହିଳା ସଶକ୍ତୀକରଣକୁ ମିଳିବ ଗତି
‘ସୁଭଦ୍ରା’ର ପଞ୍ଚମ କିସ୍ତି ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ଆହୁରି ମଜବୁତ କରିବ ବୋଲି ସାକ୍ଷାତକାର ସମୟରେ ଆଲୋଚନା ହୋଇଥିଲା। ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ସ୍ୱଚ୍ଛ ଓ ଦକ୍ଷତାର ସହ ପହଞ୍ଚାଇବା ଉପରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଉପମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି।
ଜାଗ୍ରତ ଭାରତ ନ୍ୟୁଜ୍



