ନୂଆଦିଲ୍ଲୀରେ ସୂଚନା ଓ ଲୋକସମ୍ପର୍କ ସଚିବଙ୍କ ଜାତୀୟ ସମ୍ମିଳନୀ
କେନ୍ଦ୍ର-ରାଜ୍ୟ ସମନ୍ୱୟ, ଡିଜିଟାଲ ମିଡିଆ ଓ ସୃଜନଶୀଳ ଅର୍ଥନୀତି ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ: ସୂଚନା, ପ୍ରସାରଣ, ଗଣମାଧ୍ୟମ ଓ ସୃଜନଶୀଳ ଅର୍ଥନୀତିକୁ ଆହୁରି ସଶକ୍ତ କରିବା ଲକ୍ଷ୍ୟରେ ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଗଣଯୋଗାଯୋଗ କ୍ଷେତ୍ରର ଭବିଷ୍ୟତ ରଣନୀତି ଉପରେ ମାନସମନ୍ଥନ କରିଥିଲେ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଲ କୁମାର ସମ୍ମିଳନୀରେ ଅଧ୍ୟକ୍ଷତା କରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ଦୃଢ଼ ସମନ୍ୱୟର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ‘ସପ୍ତଧାରା’ ଦୃଷ୍ଟିକୋଣରେ ଭାରତର ସଫ୍ଟ ପାୱାର ଓ ସୃଜନଶୀଳ ଅର୍ଥନୀତିର ଗୁରୁତ୍ୱ ଉଲ୍ଲେଖ କରିଥିଲେ।
ସୃଜନଶୀଳ ଅର୍ଥନୀତି ଉପରେ ଗୁରୁତ୍ୱ
ସଂସ୍କୃତି, ସୃଜନଶୀଳତା ଓ ବାଣିଜ୍ୟର ସମନ୍ୱୟରେ ଗଠିତ ସୃଜନଶୀଳ ଅର୍ଥନୀତିରେ ଦେଶରେ ବ୍ୟାପକ ନିଯୁକ୍ତି, ନିବେଶ ଓ ବୈଶ୍ୱିକ ପ୍ରଭାବ ବୃଦ୍ଧିର ସୁଯୋଗ ରହିଛି ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। ପ୍ରତ୍ୟେକ ରାଜ୍ୟର ନିଜସ୍ୱ ସାଂସ୍କୃତିକ ଶକ୍ତି, ଆଞ୍ଚଳିକ ପ୍ରତିଭା ଓ ସଂସ୍ଥାଗତ କ୍ଷମତାକୁ ଉପଯୋଗ କରି ଭିନ୍ନ ଭିନ୍ନ ମଡେଲ ଉପରେ କାମ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।
WAVES ୨୦୨୭ ଓ ଡିଜିଟାଲ ମିଡିଆ
ସମ୍ମିଳନୀରେ WAVES ୨୦୨୭, WAVES ବଜାର, WAVES X ଏବଂ ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ଚାଲେଞ୍ଜ ଭଳି ଜାତୀୟ ପ୍ଲାଟଫର୍ମଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ଦେଶର ଯୁବ ସୃଷ୍ଟିକର୍ତ୍ତା, ଷ୍ଟାର୍ଟଅପ୍ ଓ ମିଡିଆ ଉଦ୍ୟୋଗୀଙ୍କୁ ବଜାର, ନିବେଶ, ପ୍ରଯୁକ୍ତି ଓ ଅନ୍ତର୍ଜାତୀୟ ସହଯୋଗର ସୁଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଫିଲ୍ମ ଓ ଲାଇଭ୍ ଇଭେଣ୍ଟ ପାଇଁ ‘ସିଙ୍ଗଲ୍ ୱିଣ୍ଡୋ’
ଚଳଚ୍ଚିତ୍ର ସୁଟିଂ ଓ ଲାଇଭ୍ ଇଭେଣ୍ଟ ପାଇଁ ଅନୁମତି ପ୍ରକ୍ରିୟାକୁ ସହଜ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। Indian Cine Hub (ICH) ଏବଂ Film Facilitation Office (FFO) ପୋର୍ଟାଲର ସମନ୍ୱୟ, ସିଙ୍ଗଲ୍-ୱିଣ୍ଡୋ ବ୍ୟବସ୍ଥା ଓ ରାଜ୍ୟଗୁଡ଼ିକରେ ଫିଲ୍ମ ଶୁଟିଂକୁ ସୁଗମ କରିବା ଉପରେ ମତବିନିମୟ କରାଯାଇଥିଲା।
କେବୁଲ ନେଟୱର୍କ ଓ ପ୍ରସାରଣ ଭିତ୍ତିଭୂମି
କେବୁଲ ଅପରେଟରଙ୍କ ପାଇଁ Right of Way (RoW) ବ୍ୟବସ୍ଥା, ସାର୍ବଜନୀନ ସେବା ପ୍ରସାରଣ ଭିତ୍ତିଭୂମିର ବିସ୍ତାର, ରାଜ୍ୟଭିତ୍ତିକ କାର୍ଯ୍ୟକ୍ରମ ଓ ଅଧିକ ପ୍ରଭାବଶାଳୀ ଜନସମ୍ପର୍କ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଏଥିସହିତ WAVES OTT ପ୍ଲାଟଫର୍ମରେ ଉପଭୋକ୍ତାଙ୍କ ଦ୍ୱାରା ସୃଷ୍ଟ ସୃଜନଶୀଳ ବିଷୟବସ୍ତୁର ପ୍ରୋତ୍ସାହନ ଏବଂ ଲାଇଭ୍ ଇଭେଣ୍ଟ କ୍ଷେତ୍ରର ବିକାଶ ଉପରେ ମଧ୍ୟ ମତବିନିମୟ ହୋଇଥିଲା।
ଡିଆଇପିଆର୍ ଅଧିକାରୀଙ୍କ ଦକ୍ଷତା ବିକାଶ
ରାଜ୍ୟସ୍ତରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀଙ୍କ କ୍ଷମତା ବିକାଶ ପାଇଁ IIMC ମାଧ୍ୟମରେ ପ୍ରଶିକ୍ଷଣ ସୁବିଧା ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଏହା ସହିତ ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ PRP Act, 2023 ଅଧୀନରେ ଡିଜିଟାଲ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ସମ୍ମିଳନୀରେ ରାଜ୍ୟଗୁଡ଼ିକ ନିଜ ଅଭିଜ୍ଞତା ଓ ସଫଳ ପଦକ୍ଷେପ ବାଣ୍ଟିବା ସହ କେନ୍ଦ୍ର ସରକାରଙ୍କ ସହ ନିୟମିତ ସମନ୍ୱୟ ଓ ଯୋଗାଯୋଗ ବୃଦ୍ଧି ପାଇଁ ଆହ୍ୱାନ ଦେଇଥିଲେ।
ଶେଷରେ ପିଆଇବି, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ, ଦୂରଦର୍ଶନ ଓ ଆକାଶବାଣୀର ଆଞ୍ଚଳିକ ୟୁନିଟ୍ଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟ ମାଧ୍ୟମରେ ଜନସାଧାରଣଙ୍କ ପାଖରେ ସରକାରୀ ସୂଚନାକୁ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚାଇବା ଉପରେ ଜୋର ଦିଆଯାଇଥିଲା।
ଜାଗ୍ରତ ଭାରତ ନ୍ୟୁଜ୍



