ଉଡ଼ାଣ ବେଳେ ତାଲିମ ବିମାନରେ ବିସ୍ଫୋରଣ, ଚାଲିଗଲା ୨ ପାଇଲଟଙ୍କ ଜୀବନ
କାନପୁର: ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହେଲା ଏକ ତାଲିମ ବିମାନ। ଏହି ମର୍ମନ୍ତୁଦ ଘଟଣାରେ ବିମାନରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଅପରାହ୍ନରେ କାନପୁର ଗଙ୍ଗା ନଦୀକୂଳ ନିକଟ ନଟ୍ଠା ପୂର୍ବା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବିମାନଟି ଆକାଶରେ ଉଡ଼ୁଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହାପରେ ବିମାନଟି ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ିଥିଲା। ବିସ୍ଫୋରଣର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ଜଣେ ପାଇଲଟ ଗୁରୁତର ଅବସ୍ଥାରେ ଭଗ୍ନାବଶେଷ ତଳେ ଫସି ରହିଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ପ୍ରୟାସ ପରେ ଗୁରୁତର ପାଇଲଟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରି ଗ୍ରାମବାସୀଙ୍କ ଯାତାୟାତ ଉପରେ କଟକଣା ଲଗାଇଛି। ପ୍ରାଥମିକ ଭାବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାର ଶିକାର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ବିମାନରେ ବିସ୍ଫୋରଣର ପ୍ରକୃତ କାରଣ ଏବଂ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।



