ଡ୍ରୋନ୍ରେ ହାତୀଙ୍କ ଗତିବିଧି ଉପରେ ନଜର, ମଣିଷ-ହାତୀ ସଂଘର୍ଷ ରୋକିବାକୁ ଅନୁଗୋଳ ବନଖଣ୍ଡର ନୂଆ ପଦକ୍ଷେପ
ଅନୁଗୋଳ: ମଣିଷ-ହାତୀ ସହାବସ୍ଥାନକୁ ସୁଦୃଢ଼ କରିବା ସହ ହାତୀ ଓ ମଣିଷଙ୍କ ସୁରକ୍ଷା ନିଶ୍ଚିତ କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଡ୍ରୋନ୍ ଆଧାରିତ ନିରୀକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଆକାଶପଥରୁ ହାତୀ ପଲର ଗତିବିଧି ଉପରେ ନଜର ରଖି ବନ ବିଭାଗ ପକ୍ଷରୁ ସମୟୋପଯୋଗୀ ପଦକ୍ଷେପ ନିଆଯାଉଛି।
ଡ୍ରୋନ୍ ମାଧ୍ୟମରେ ବନ କର୍ମଚାରୀମାନେ ସୁରକ୍ଷିତ ଦୂରତାରୁ ହାତୀ ପଲକୁ ଚିହ୍ନଟ କରିବା ସହ ସେମାନଙ୍କ ଗତିପଥ ଓ ଗତିବିଧି ଉପରେ ନଜର ରଖିପାରୁଛନ୍ତି। ଏଥିସହ ହାତୀ ଚଳାଚଳ ପାଇଁ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା ଏବଂ ଆବଶ୍ୟକ ସମୟରେ ତୁରନ୍ତ କ୍ଷେତ୍ରସ୍ତରୀୟ ପଦକ୍ଷେପ ନେବାରେ ଏହି ପ୍ରଯୁକ୍ତି ସହାୟକ ହେଉଛି।
କେବଳ ପ୍ରଯୁକ୍ତିର ବ୍ୟବହାର ନୁହେଁ, ମଣିଷ-ହାତୀ ସଂଘର୍ଷ ହ୍ରାସ ପାଇଁ ଜନସଚେତନତାକୁ ମଧ୍ୟ ବନ ବିଭାଗ ଗୁରୁତ୍ୱ ଦେଉଛି। ହାତୀ ଦେଖାଗଲେ ଲୋକମାନେ ସତର୍କ ରହିବା, ହାତୀଙ୍କ ନିକଟକୁ ନଯିବା ଏବଂ ହାତୀଙ୍କ ଗତିବିଧି ସମ୍ପର୍କରେ ତୁରନ୍ତ ବନ କର୍ମଚାରୀଙ୍କୁ ସୂଚନା ଦେବା ପାଇଁ ସଚେତନ କରାଯାଉଛି।
ଡ୍ରୋନ୍ ଭଳି ଆଧୁନିକ ପ୍ରଯୁକ୍ତି ସହ ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଯୋଗକୁ ଯୋଡ଼ି ଅନୁଗୋଳ ବନଖଣ୍ଡ ଏକ ସୁରକ୍ଷିତ ମଣିଷ-ହାତୀ ସହାବସ୍ଥାନର ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନେଉଛି।
ଆକାଶରୁ ନଜର, ଭୂମିରେ ସୁରକ୍ଷା—ପ୍ରଯୁକ୍ତି ଓ ଜନସହଭାଗିତାରେ ହାତୀ ସୁରକ୍ଷାକୁ ନୂଆ ଦିଗ।



