ଭୟ, ରହସ୍ୟ ଓ ରୋମାଞ୍ଚରେ ଭରପୂର ‘ଦାହାନ’: ରିଲିଜ୍ ହେଲା ଓଡ଼ିଆ ହରର୍ ଫିଲ୍ମର ଟ୍ରେଲର
ଭୁବନେଶ୍ୱର: ଓଡ଼ିଆ ସିନେମାରେ ଭୂତ କାହାଣୀକୁ ନେଇ ଆସୁଛି ଏକ ନୂଆ ପ୍ରୟାସ। ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସର ବ୍ୟାନର୍ରେ ଗଣେଶ ପୂଜା ଅବସରରେ ଦର୍ଶକଙ୍କୁ ଭେଟିବାକୁ ଯାଉଛି ହରର୍ ଫିଲ୍ମ ‘ଦାହାନ: ଦ ଏଭିଲ୍ ଉଇଦିନ୍’। ଏହି ଚଳଚ୍ଚିତ୍ରର ବହୁ ପ୍ରତୀକ୍ଷିତ ଟ୍ରେଲର ରିଲିଜ୍ ହୋଇଛି।
ପୂର୍ବରୁ ଫିଲ୍ମର ଟିଜର ଓ ପ୍ରମୋସନାଲ୍ ଗୀତ ଦର୍ଶକଙ୍କ ମଧ୍ୟରେ ଭଲ ଆଗ୍ରହ ସୃଷ୍ଟି କରିଥିବା ବେଳେ ଟ୍ରେଲରକୁ ନେଇ ମଧ୍ୟ ଉତ୍ସାହ ବଢ଼ିଛି। ଟ୍ରେଲର ରିଲିଜ୍ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ପ୍ରଯୋଜିକା ତଥା ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ଅଭିନେତ୍ରୀ ଆରୋଶିଖା ମିଶ୍ର, ଦିବ୍ୟା ମହାନ୍ତିଙ୍କ ସମେତ ନାୟକ ସନୋଜ, ସମ୍ରାଟ ମହାପାତ୍ର ଓ ନାଭ୍ୟା ଜାଇତି ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ମିଳନୀରେ ଫିଲ୍ମର କଳାକାର, ନିର୍ଦ୍ଦେଶକ ଓ ଟେକ୍ନିସିଆନ୍ମାନେ ଶୁଟିଂ ସମୟର ବିଭିନ୍ନ ଅନୁଭୂତି ଦର୍ଶକ ଓ ସାମ୍ବାଦିକଙ୍କ ସହ ବାଣ୍ଟିଥିଲେ। ଦୁଇ ଭଉଣୀଙ୍କୁ କେନ୍ଦ୍ର କରି ଗଢ଼ିଉଠିଥିବା ଏହି କାହାଣୀରେ ଭୟ, ରହସ୍ୟ ଓ ରୋମାଞ୍ଚର ଭିନ୍ନ ଅନୁଭୂତି ଦେଖିବାକୁ ମିଳିବ ବୋଲି ନିର୍ମାତା ପକ୍ଷରୁ କୁହାଯାଇଛି।
ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଓଡ଼ିଆ ସିନେମାରେ ଭିନ୍ନ ଧରଣର କାହାଣୀ ଓ ପରିକଳ୍ପନା ପାଇଁ ପରିଚିତ। ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିବା ଅନୁପମ ‘ତ୍ରିକନ୍ୟା’, ‘କର୍ମ’ ଓ ‘ମନ୍ତ୍ରମୁଗ୍ଧ’ ଭଳି ଚଳଚ୍ଚିତ୍ର ଜରିଆରେ ଦର୍ଶକଙ୍କୁ ଭିନ୍ନ ଧରଣର ମନୋରଞ୍ଜନ ଦେଇଛନ୍ତି।
ଏବେ ହରର୍ ଜୋନର୍ରେ ‘ଦାହାନ: ଦ ଏଭିଲ୍ ଉଇଦିନ୍’ ଜରିଆରେ ଦର୍ଶକଙ୍କୁ ନୂଆ ଅନୁଭୂତି ଦେବାକୁ ପ୍ରୟାସ କରିଛନ୍ତି ନିର୍ମାତା ଓ ନିର୍ଦ୍ଦେଶକ। ଗଣେଶ ପୂଜା ଅବସରରେ ଫିଲ୍ମଟି ପରଦାକୁ ଆସିବାକୁ ଥିବାରୁ ଏହାକୁ ନେଇ ଓଡ଼ିଆ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।



