ନାଲକୋ ବ୍ରାଉନଫିଲ୍ଡ ସମ୍ପ୍ରସାରଣକୁ ନେଇ ପିଏଲ୍ଆରଆରସି ବୈଠକ
ବିସ୍ଥାପିତଙ୍କ ନିଯୁକ୍ତି, ଜମିର ଉପଯୁକ୍ତ ମୂଲ୍ୟ ଓ ଅଞ୍ଚଳ ବିକାଶ ଉପରେ ଗୁରୁତ୍ୱ

ଅନୁଗୋଳ: ନାଲକୋ ଅନୁଗୋଳର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପକୁ ନେଇ ଅନୁଗୋଳ ସର୍କିଟ୍ ହାଉସ୍ର କନଫରେନ୍ସ ହଲ୍ରେ ପ୍ରକଳ୍ପ ସ୍ତରୀୟ ପୁନର୍ବାସ ଓ ଥଇଥାନ କମିଟି (PLRRC) ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅନୁଗୋଳ ଜିଲ୍ଲାପାଳ ଅବଦାଲ୍ ଏମ୍. ଅଖତାର ଏବଂ ନାଲକୋର ସିଏମ୍ଡି ବ୍ରିଜେନ୍ଦ୍ର ପ୍ରତାପ ସିଂଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ନାଲକୋର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏଥିସହ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ଓ ବିସ୍ଥାପିତ ହେବାକୁ ଥିବା ବିଭିନ୍ନ ଗ୍ରାମର PLRRC ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
ବୈଠକରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ବେନ୍ତପୁର, ଗୋପୀନାଥପୁର, ନୂଆସାହି ଓ କୁଲାଡ଼ ଅଞ୍ଚଳର ପ୍ରଭାବିତ ବାସିନ୍ଦାଙ୍କ ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ପ୍ରଶାସନ ଏବଂ ନାଲକୋ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ।
ବିଶେଷକରି ପ୍ରକଳ୍ପ ପାଇଁ ଜମି ହରାଇବାକୁ ଥିବା ପରିବାରଗୁଡ଼ିକୁ ନାଲକୋରେ ସ୍ଥାୟୀ ନିଯୁକ୍ତି, ଜମିର ଉପଯୁକ୍ତ ଓ ନ୍ୟାୟସଙ୍ଗତ ମୂଲ୍ୟ ପ୍ରଦାନ, ପ୍ରଭାବିତ ଅଞ୍ଚଳର ପାରିପାର୍ଶ୍ୱିକ ଉନ୍ନତି, ମଠ ଓ ମନ୍ଦିରଗୁଡ଼ିକର ପୁନରୁଦ୍ଧାର ସହ ଅଞ୍ଚଳର ସାମଗ୍ରିକ ବିକାଶକୁ ଅଗ୍ରାଧିକାର ଦେବାକୁ ବିଧାୟକ ଦାବି ରଖିଥିଲେ।
ବୈଠକରେ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଉପଜିଲ୍ଲାପାଳ ମାୟାଧର ବେହେରା, ନାଲକୋ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଜୟଜିତ୍ ଧଳ, ଅନୁଗୋଳ ତହସିଲଦାର ଆଲୋକ ମିଶ୍ର, ବଅଁରପାଳ ତହସିଲଦାର ସୁଶାନ୍ତ ମିଶ୍ରଙ୍କ ସମେତ ସମ୍ପୃକ୍ତ ଅଧିକାରୀ ଓ ପ୍ରକଳ୍ପ ପ୍ରଭାବିତ ଗ୍ରାମଗୁଡ଼ିକର PLRRC ସଦସ୍ୟମାନେ ଯୋଗ ଦେଇଥିଲେ।
ପ୍ରକଳ୍ପର ବିକାଶ ସହିତ ପ୍ରଭାବିତ ଲୋକଙ୍କ ହିତ, ପୁନର୍ବାସ ଓ ଥଇଥାନ ପ୍ରକ୍ରିୟାକୁ ସମନ୍ୱୟ କରି ଆଗେଇ ନେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।



