ସୋନ ନଦୀ ଜଳ ବଣ୍ଟନକୁ ନେଇ ବିହାର-ଝାଡ଼ଖଣ୍ଡ ମଧ୍ୟରେ ବଡ଼ ଚୁକ୍ତି
୨୫ ବର୍ଷର ଜଳ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଲକ୍ଷାଧିକ କୃଷକଙ୍କୁ ମିଳିବ ଲାଭ
ନୂଆଦିଲ୍ଲୀ, ୧ ସେପ୍ଟେମ୍ବର: ସୋନ ନଦୀ ଜଳ ବଣ୍ଟନକୁ ନେଇ ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଦୀର୍ଘ ପ୍ରାୟ ୨୫ ବର୍ଷର ବିବାଦର ଅବସାନ ଘଟିଛି। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଉଭୟ ରାଜ୍ୟ ମଧ୍ୟରେ ସୋନ ନଦୀ ଜଳ ବଣ୍ଟନ ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏହି ଚୁକ୍ତିକୁ ପୂର୍ବ ଭାରତର ଜଳ ପରିଚାଳନା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହା ଦ୍ୱାରା ବିହାର ଓ ଝାଡ଼ଖଣ୍ଡର ବ୍ୟାପକ ଅଞ୍ଚଳରେ ଜଳସେଚନ ସହ ପାନୀୟ ଜଳର ଉପଲବ୍ଧତା ବଢ଼ିବ। ବିଶେଷକରି ଲକ୍ଷାଧିକ କୃଷକ ଏହାରୁ ଉପକୃତ ହେବେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହି ଚୁକ୍ତି ‘ଟିମ୍ ଇଣ୍ଡିଆ’ ଭାବନା ଓ ସହଯୋଗାତ୍ମକ ସଂଘୀୟ ବ୍ୟବସ୍ଥାର ଏକ ଉତ୍କୃଷ୍ଟ ଉଦାହରଣ। ରାଜ୍ୟଗୁଡ଼ିକ ନିଜସ୍ୱ ପରିଚୟ ରଖିଥିଲେ ମଧ୍ୟ ଜାତୀୟ ସ୍ୱାର୍ଥରେ ଏକାଠି ହୋଇ କାମ କଲେ ଜଟିଳ ସମସ୍ୟାର ମଧ୍ୟ ସମାଧାନ ସମ୍ଭବ ବୋଲି ସେ କହିଛନ୍ତି।
ଚୁକ୍ତି ଅନୁଯାୟୀ ବିହାରର ଭୋଜପୁର, ବକ୍ସର, ରୋହତାସ, କୈମୁର, ଔରଙ୍ଗାବାଦ, ଅରୱାଲ, ଗୟା ଓ ପାଟନା ଭଳି ଜିଲ୍ଲାରେ ଜଳସେଚନ ଏବଂ ପାନୀୟ ଜଳ ପାଇଁ ଜଳ ଉପଲବ୍ଧତା ନିଶ୍ଚିତ ହେବ। ଏହାସହ ଝାଡ଼ଖଣ୍ଡର ପଲାମୁ, ଗଡ଼ୱା ଓ ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ଉପକୃତ ହେବ।
ଏହି ଅବସରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲ, ବିହାରର ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହ ସଚିବଙ୍କ ସମେତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅମିତ ଶାହ କହିଛନ୍ତି ଯେ ଚଳିତ ବର୍ଷ ରାଜ୍ୟଗୁଡ଼ିକ ମଧ୍ୟରେ ଏହା ଚତୁର୍ଥ ଗୁରୁତ୍ୱପୂର୍ଣ୍ଣ ଜଳ ଚୁକ୍ତି। ଆନ୍ତଃରାଜ୍ୟ ପରିଷଦ ମାଧ୍ୟମରେ ଦୀର୍ଘଦିନର ଜଳ ବିବାଦଗୁଡ଼ିକର ସମାଧାନ ଦିଗରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ସେ ଉଲ୍ଲେଖ କରିଛନ୍ତି।
ଚଳିତ ବର୍ଷ ନର୍ମଦା ଜଳ ସମ୍ପର୍କିତ ଚୁକ୍ତିରେ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ମଧ୍ୟରେ ଦୀର୍ଘଦିନର ବିବାଦର ସମାଧାନ ହୋଇଥିବା ବେଳେ, ଯମୁନା ଜଳ ପ୍ରକଳ୍ପକୁ ନେଇ ରାଜସ୍ଥାନ ଓ ହରିୟାଣା ମଧ୍ୟରେ ମଧ୍ୟ ଚୁକ୍ତି ହୋଇଛି। ଏହାସହ କିଶାଉ ବହୁମୁଖୀ ଡ୍ୟାମ୍ ପ୍ରକଳ୍ପକୁ ନେଇ ମଧ୍ୟ ସମ୍ପୃକ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ସହମତି ହୋଇଛି।
ସୋନ ନଦୀ ଜଳ ବଣ୍ଟନ ଚୁକ୍ତିକୁ ଉଭୟ ରାଜ୍ୟର ଜଳସେଚନ, ପାନୀୟ ଜଳ ଯୋଗାଣ ଓ ଗ୍ରାମୀଣ ବିକାଶ ପାଇଁ ଏକ ମାଇଲଖୁଣ୍ଟ ପଦକ୍ଷେପ ଭାବେ ଦେଖାଯାଉଛି।



