ସବୁଜ ଭିତ୍ତିଭୂମିରେ ଓଡ଼ିଶାର ନୂଆ ରେକର୍ଡ: ଦେଶର ପ୍ରଥମ ପ୍ଲାଟିନମ୍ ଲୋକ ଭବନ
IGBC ରେଟିଂରେ ୧୦୦ରୁ ୮୮ ପଏଣ୍ଟ; ୬୩୫ kWp ସୋଲାର ପ୍ଲାଣ୍ଟ, ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ କାରକେଡ୍
ଭୁବନେଶ୍ୱର: ସବୁଜ ଭିତ୍ତିଭୂମି ଓ ସ୍ୱଚ୍ଛ ଶକ୍ତି ବ୍ୟବହାର କ୍ଷେତ୍ରରେ ଓଡ଼ିଶା ହାସଲ କରିଛି ଏକ ବଡ଼ ସଫଳତା। ଭୁବନେଶ୍ୱରସ୍ଥିତ ଓଡ଼ିଶା ଲୋକ ଭବନ ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (IGBC)ର ‘ଗ୍ରୀନ୍ କ୍ୟାମ୍ପସ ରେଟିଂ ସିଷ୍ଟମ୍’ ଅଧୀନରେ ପ୍ଲାଟିନମ୍ ପ୍ରମାଣପତ୍ର ହାସଲ କରିଛି। ଏହା ସହିତ ଓଡ଼ିଶା ଲୋକ ଭବନ ଦେଶର ପ୍ରଥମ ପ୍ଲାଟିନମ୍-ସାର୍ଟିଫାଏଡ୍ ଲୋକ ଭବନ ଭାବେ ନୂଆ ମାନଦଣ୍ଡ ସୃଷ୍ଟି କରିଛି।
ମଙ୍ଗଳବାର ଲୋକ ଭବନର ନ୍ୟୁ ଅଭିଷେକ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ IGBCର ଜାତୀୟ ଅଧ୍ୟକ୍ଷ ସି. ଶେଖର ରେଡ୍ଡୀଙ୍କଠାରୁ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ଲାଟିନମ୍ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଲୋକ ଭବନ ୧୦୦ରୁ ୮୮ ପଏଣ୍ଟ ହାସଲ କରି IGBCର ସର୍ବୋଚ୍ଚ ରେଟିଂ ବର୍ଗରେ ସ୍ଥାନ ପାଇଛି।
ଏହି ସଫଳତାକୁ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ, ଲୋକ ଭବନକୁ ସବୁଜ ପରିସରରେ ପରିଣତ କରିବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଏହା ଫଳ। ପରିସରରେ ସବୁଜିମା ବୃଦ୍ଧି, ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ବ୍ୟବହାର, ବୈଦ୍ୟୁତିକ ଯାନର ପ୍ରଚଳନ ଭଳି ଅନେକ ପଦକ୍ଷେପକୁ IGBC ପକ୍ଷରୁ ମାନ୍ୟତା ମିଳିଛି।
ଲୋକ ଭବନରେ ୬୩୫ kWp ସୌର ଶକ୍ତି
ସବୁଜ ରୂପାନ୍ତରଣରେ ଅକ୍ଷୟ ଶକ୍ତିକୁ ଗୁରୁତ୍ୱ ଦେଇ ଲୋକ ଭବନ ପରିସରରେ ବର୍ତ୍ତମାନ ୬୩୫ କିଲୋୱାଟ୍ ପିକ୍ (kWp) କ୍ଷମତାର ସୌର ଶକ୍ତି ବ୍ୟବସ୍ଥା ସ୍ଥାପିତ ହୋଇଛି। ଘର ଓ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଅଧିକରୁ ଅଧିକ ରୁଫଟପ୍ ସୋଲାର ବ୍ୟବସ୍ଥା କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।
ସୂର୍ଯ୍ୟ ଶକ୍ତିର ବ୍ୟାପକ ଉପଯୋଗ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ, ଭାରତରେ ବର୍ଷକୁ ପ୍ରାୟ ୩୦୦ ଦିନ ସୂର୍ଯ୍ୟକିରଣ ଉପଲବ୍ଧ ହେଉଥିବାରୁ ଏହାର ସଠିକ୍ ଉପଯୋଗ କରିବା ଆବଶ୍ୟକ। ଅକ୍ଷୟ ଶକ୍ତିର ବ୍ୟବହାର ବଢ଼ିଲେ ଓଡ଼ିଶା ଓ ଦେଶ ସ୍ୱଚ୍ଛ ଶକ୍ତି ଦିଗରେ ଆହୁରି ଦୃଢ଼ତାର ସହ ଆଗକୁ ବଢ଼ିପାରିବ।
ରାଜ୍ୟପାଳଙ୍କ କାରକେଡ୍ ଏବେ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍
ଲୋକ ଭବନର ସବୁଜ ରୂପାନ୍ତରଣର ଆଉ ଏକ ଉଲ୍ଲେଖନୀୟ ଦିଗ ହେଉଛି ରାଜ୍ୟପାଳଙ୍କ କାରକେଡ୍କୁ ସମ୍ପୂର୍ଣ୍ଣ ବୈଦ୍ୟୁତିକ ଯାନରେ ପରିଣତ କରାଯାଇଛି। ଏହା ଦ୍ୱାରା ଲୋକ ଭବନ ସ୍ୱଚ୍ଛ ଯାତାୟାତ ଓ କାର୍ବନ୍ ନିର୍ଗମନ ହ୍ରାସ ଦିଗରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି।
ଏହା ସହିତ ପରିସରରେ ଏକ ଛୋଟ ପବନ ଚକି ସ୍ଥାପନ କରିବା ପାଇଁ ମଧ୍ୟ ଯୋଜନା ରହିଛି। ଏହା ମାଧ୍ୟମରେ ସୌର ଶକ୍ତି ସହ ପବନ ଶକ୍ତିର ମଧ୍ୟ ଉପଯୋଗ କରାଯିବ।
ପୁରୀ ଲୋକ ଭବନକୁ ମଧ୍ୟ ଗ୍ରୀନ୍ ସାର୍ଟିଫିକେଟ୍
ଭୁବନେଶ୍ୱର ଲୋକ ଭବନ ପରେ ପୁରୀସ୍ଥିତ ଲୋକ ଭବନକୁ ମଧ୍ୟ ସବୁଜ ପ୍ରମାଣପତ୍ର ହାସଲ କରାଇବା ପାଇଁ ପଦକ୍ଷେପ ନିଆଯିବ। ଏହାର ପ୍ରଥମ ପଦକ୍ଷେପ ଭାବେ ପୁରୀ ଲୋକ ଭବନ ପରିସରରେ ୧୦୦ କିଲୋୱାଟ୍ର ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି।
ବିଶ୍ୱବିଦ୍ୟାଳୟକୁ ସବୁଜ ପ୍ରମାଣପତ୍ର ପାଇଁ ଆହ୍ୱାନ
ଲୋକ ଭବନର ଏହି ସଫଳତା ଅନ୍ୟ ସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନକୁ ସବୁଜ ପଦକ୍ଷେପ ଗ୍ରହଣ ପାଇଁ ପ୍ରେରଣା ଦେବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି। ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକ ସବୁଜ ପ୍ରମାଣପତ୍ର ହାସଲ କରି ପରିବେଶ ସୁରକ୍ଷାରେ ଆଗୁଆ ଭୂମିକା ନେବାକୁ ସେ ଆହ୍ୱାନ ଦେଇଛନ୍ତି।
ରାଜ୍ୟପାଳଙ୍କ ମତରେ, ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରୁଛନ୍ତି। ସେମାନଙ୍କୁ ପରିବେଶ ସୁରକ୍ଷାର ଦୂତ ଭାବେ ପ୍ରସ୍ତୁତ କରାଯାଇପାରିଲେ ସମାଜରେ ସବୁଜ ସଚେତନତା ଆହୁରି ବ୍ୟାପକ ହୋଇପାରିବ।
ଆଗାମୀ ଦିଲ୍ଲୀ ଗସ୍ତ ସମୟରେ ଲୋକ ଭବନକୁ ମିଳିଥିବା ଏହି ପ୍ରମାଣପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖାଇବେ ବୋଲି ଡ. କମ୍ଭମପାଟି କହିଛନ୍ତି।
ସରକାରୀ କୋଠା ନିର୍ମାଣରେ ସବୁଜ ପଦକ୍ଷେପକୁ ଗୁରୁତ୍ୱ
କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ପରିବେଶ ସୁରକ୍ଷା ପ୍ରତି ରାଜ୍ୟପାଳଙ୍କ ପ୍ରତିବଦ୍ଧତା ଲୋକ ଭବନର ସବୁଜ ରୂପାନ୍ତରଣ ମାଧ୍ୟମରେ ବାସ୍ତବ ରୂପ ନେଇଛି। ଏହି ସ୍ୱୀକୃତି ଓଡ଼ିଶା ପାଇଁ ଗର୍ବର ବିଷୟ। ଭବିଷ୍ୟତରେ ସରକାରୀ କୋଠା ଯୋଜନା ଓ ନିର୍ମାଣ ସମୟରେ ସବୁଜ ପ୍ରଯୁକ୍ତି ଓ ପରିବେଶ ଅନୁକୂଳ ବ୍ୟବସ୍ଥାକୁ ସାମିଲ କରିବା ପାଇଁ ଏହା ବିଭିନ୍ନ ବିଭାଗକୁ ପ୍ରେରଣା ଦେବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ. ରୂପା ରୋଶନ ସାହୁଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, IGBCର ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।



