ବୁଲାଗୋରୁଙ୍କ ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କର୍ମଚାରୀଙ୍କ ପକ୍ଷରୁ ଅଭିନବ ପ୍ରୟାସ
- ଅନ୍ଧାର ରାତିରେ ଦୁର୍ଘଟଣା ଏଡ଼ାଇବା ପାଇଁ ୧୦୦ଟି ବୁଲା ଗୋରୁଙ୍କ ବେକରେ ଲଗାଗଲା ରିଫ୍ଲେକ୍ଟିଭ୍ ବ୍ୟାଣ୍ଡ
ମେରାମଣ୍ଡଳୀ, ୩.୯.୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀର “ଇନ୍ଫ୍ରାଷ୍ଟ୍ରକ୍ଚର ଏବଂ ସର୍ଭିସେସ୍’ ଟିମ୍ର କର୍ମଚାରୀମାନେ ପ୍ଲାଣ୍ଟ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ରେ ସଡ଼କ ସୁରକ୍ଷା ସମ୍ବନ୍ଧିତ ଏକ ଅଭିନବ ପ୍ରୟାସ କରିଥିଲେ। ଅନ୍ଧାର ରାତିରେ ଦୁର୍ଘଟଣା ଏଡ଼ାଇବା ପାଇଁ ୧୦୦ଟି ବୁଲା ଗୋରୁଙ୍କ ବେକରେ ରିଫ୍ଲେକ୍ଟିଭ୍ ବ୍ୟାଣ୍ଡ ଲଗାଯାଇଛି।
ଅନ୍ଧାର ରାତିରେ ରାଜପଥରେ ବୁଲୁଥିବା ଗୋରୁଗୁଡ଼ିକ ଗାଡ଼ି ଚାଳକଙ୍କୁ ସହଜରେ ଦେଖାଯାଇନଥାନ୍ତି। ଏ ନେଇ ଅନେକ ସମୟରେ ରାଜପଥ ଉପରେ ଦୁର୍ଘଟଣା ଘଟିଥାଏ, ଯାହାଫଳରେ ଉଭୟ ଗାଡ଼ିଚାଳକ ଓ ଗୋରୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଟାଟା ଷ୍ଟିଲ୍ର ଇନ୍ଫ୍ରାଷ୍ଟ୍ରକ୍ଚର ଏବଂ ସର୍ଭିସେସ୍ ଟିମ୍ ପ୍ଲାଣ୍ଟ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର ଆଖପାଖରେ ଥିବା ୧୦୦ଟି ବୁଲା ଗୋରୁଙ୍କ ବେକରେ “ରେଟ୍ରୋ-ରିଫ୍ଲେକ୍ଟିଭ୍ ବ୍ୟାଣ୍ଡ’ (ଆଲୋକ ପ୍ରତିଫଳିତ କରୁଥିବା ବ୍ୟାଣ୍ଡ) ଲଗାଇଛନ୍ତି। ଇନ୍ଫ୍ରାଷ୍ଟ୍ରକ୍ଚର ଏବଂ ସର୍ଭିସେସ୍ ବିଭାଗ ମୁଖ୍ୟ ପୀତାମ୍ବର ତିୱାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀମାନେ ସାମିଲ ହୋଇଥିଲେ।
ରାତିରେ ଗାଡ଼ିର ହେଡ୍ଲାଇଟ୍ ଆଲୋକ ଏହି ବ୍ୟାଣ୍ଡ ଉପରେ ପଡ଼ିବା ମାତ୍ରେ ତାହା ଚମକିଥାଏ। ଯାହାଦ୍ୱାରା ଗାଡ଼ି ଚାଳକମାନେ ବହୁ ଦୂରରୁ ଗୋରୁଙ୍କୁ ଦେଖିପାରିବେ। ଫଳରେ ଗାଡ଼ିଚାଳକ ନିୟନ୍ତ୍ରଣରେ ଗାଡ଼ି ଚଳାଇପାରିବା ସହ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ହେବ।
ଏହିଭଳି ଛୋଟ ଓ ପ୍ରଭାବଶାଳୀ ପ୍ରଚେଷ୍ଟା ଦ୍ୱାରା ଟାଟା ଷ୍ଟିଲ୍ର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସି ଏକ ଦାୟିତ୍ୱବାନ ସମାଜ ଗଠନ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।




