ବିକାଶ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ ଓ AI ବ୍ୟବହାରକୁ ଗୁରୁତ୍ୱ: ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ଓଡ଼ିଶାର ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ମାଣ କାର୍ଯ୍ୟରେ ସ୍ଥାୟୀତ୍ୱ ଓ ଗୁଣବତ୍ତା ବଜାୟ ରଖିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଆଧୁନିକ ଜ୍ଞାନକୌଶଳ ସହ କୃତ୍ରିମ ବୁଦ୍ଧିମତା (AI)ର ଉପଯୋଗ କରିବାକୁ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀ ଓ ଇଞ୍ଜିନିୟରମାନଙ୍କୁ ପରାମର୍ଶ ଦେଇଛନ୍ତି।
ଲୋକସେବା ଭବନସ୍ଥିତ ନିଜ ପ୍ରକୋଷ୍ଠରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ବିଭିନ୍ନ ଚାଲୁ ଓ ପ୍ରସ୍ତାବିତ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ଜାତୀୟ ରାଜପଥ ପ୍ରକଳ୍ପ, ଭୁବନେଶ୍ୱର ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ପ୍ରକଳ୍ପ, ପୁରୀ ଐତିହ୍ୟ ପ୍ରକଳ୍ପ, ବିଭିନ୍ନ ସ୍ଥାନରେ ପ୍ରସ୍ତାବିତ ଏଲିଭେଟେଡ୍ ରାସ୍ତା, ଜୟଦେବ ବିହାର-ନନ୍ଦନକାନନ ରାସ୍ତା, ଗୁଣ୍ଡିଚା ମନ୍ଦିର ନବୀକରଣ ଏବଂ ପରିବେଶ ଅନୁକୂଳ କୋଠା ନିର୍ମାଣ ଆଦି ନେଇ ଆଲୋଚନା ହୋଇଥିଲା।
ମନ୍ତ୍ରୀ କହିଥିଲେ, ରାଜ୍ୟର ବିକାଶମୂଳକ ପ୍ରକଳ୍ପ ପାଇଁ ପାଣ୍ଠିର ଅଭାବ ନାହିଁ। ରାସ୍ତା, ସେତୁ ଓ କୋଠାବାଡ଼ି ନିର୍ମାଣ ଭଳି କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ତେବେ ସମୟ ସହ ତାଳ ଦେଇ ନିର୍ମାଣ କ୍ଷେତ୍ରରେ ବିଶ୍ୱର ବିକଶିତ ଦେଶଗୁଡ଼ିକର ଶ୍ରେଷ୍ଠ ମଡେଲ ଓ ନୂଆ ପ୍ରଯୁକ୍ତି ଆପଣାଇବା ଆବଶ୍ୟକ।
ନୂଆ ଜ୍ଞାନକୌଶଳ କାର୍ଯ୍ୟକୁ ସହଜ କରିବା ସହ ପ୍ରକଳ୍ପଗୁଡ଼ିକର ଶୀଘ୍ର ସମାପ୍ତିରେ ସହାୟକ ହେଉଛି। ତେଣୁ ପ୍ରଯୁକ୍ତିର ବ୍ୟବହାର ସହ ନିର୍ମାଣର ଦୀର୍ଘସ୍ଥାୟୀତ୍ୱ ଓ ଗୁଣବତ୍ତାକୁ ସମାନ ଗୁରୁତ୍ୱ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।
ବୈଠକରେ ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଯୋଗଦେଇ ବିଭିନ୍ନ ପ୍ରକଳ୍ପକୁ ତ୍ୱରିତ ଗତିରେ ଆଗେଇ ନେବା ନେଇ ବିଭିନ୍ନ ପ୍ରସ୍ତାବ ରଖିଥିଲେ।
ଏହି ବୈଠକରେ ଓବିସିସି ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା, ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ସମୀର ହୋତା, ଇଆଇସି ସିଭିଲ ଇଂ. ସତ୍ୟବ୍ରତ ବେହେରା, ଅର୍ଥ ପରାମର୍ଶଦାତା ରତିକାନ୍ତ ମହାପାତ୍ରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।



