*ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଓ ଯୋଗ ଶ୍ରେଣୀ ଅନୁଷ୍ଠିତ*

ସ୍ଥାନୀୟ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତିକରଣ (Shaktishree Empowerment Cell) ଆନୁକୂଲ୍ୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଏବଂ ଫିଟ୍ କଲେଜ (FIT College) ପକ୍ଷରୁ ଯୋଗ ଶ୍ରେଣୀର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଶକୁନ୍ତଳା ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦୁଇଟିଯାକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ଏକ ସୁସ୍ଥ ଶରୀର ଗଠନ ସହ ନାରୀ ସୁରକ୍ଷାର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠର ସଂଯୋଜିକା ପ୍ରାଧ୍ୟାପିକା ଲୀନା ଗନ୍ତାୟତ, ଯୋଗ କ୍ଲବର ପ୍ରତିନିଧି ଡକ୍ଟର ସ୍ୱାତୀ ଏସ୍. ପ୍ରଧାନ , ଫିଟ୍ କଲେଜର ସଂଯୋଜିକା ଡକ୍ଟର ରୋଜାଲିନ୍ ଦାଶ , ଶକ୍ତିଶ୍ରୀ ପ୍ରକୋଷ୍ଠର ସଦସ୍ୟା ଡକ୍ଟର ବିଜୟିତା ପ୍ରିୟଦର୍ଶିନୀ ଓ ଅଧ୍ୟାପିକା ପ୍ରଜ୍ଞା ମାଝୀ ଏବଂ ଶକ୍ତିଶ୍ରୀ ‘ସାଥୀ’ (SAATHI) କୁମାରୀ ଜ୍ୟୋତିର୍ମୟୀ ସାହୁ ପ୍ରମୁଖ ମିଳିତ ଭାବେ ସଫଳତାର ସହ ପରିଚାଳନା ଓ ସଂଯୋଜନା କରିଥିଲେ।ଆଜିର ଦିବସରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ପ୍ରଶିକ୍ଷିକା (Master Trainer) ବନ୍ଦନା ବିଶ୍ୱାଳ ପରିଚାଳନା କରି ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ। ସେହିପରି ଯୋଗ ଶ୍ରେଣୀରେ ଯୋଗ ଶିକ୍ଷୟିତ୍ରୀ ଅତସୀ ମହାନ୍ତି ପ୍ରାଣାୟାମ ଓ ବିଭିନ୍ନ ଆସନ ଶିକ୍ଷା ଦେଇଥିଲେ। ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରୀ ଏହି ଶିବିରରେ ଉପସ୍ଥିତ ରହି ଉତ୍ସାହର ସହ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।



