
ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲରେ ଗୁରୁଦିବସ ପାଳିତ
ବରଗଡ:୫/୯(ପବିତ୍ର ମେହେର):ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଜନତା ସରକାରୀ ହାଇସ୍କୁଲରେ ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପବିତ୍ର ଜନ୍ମତିଥି ଗୁରୁ ଦିବସ ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରଥମେ ମହାନ୍ ଭାରତୀୟ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହାପରେ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କଦ୍ବାରା ଗୁରୁ ବନ୍ଦନା ସହ ଗୁରୁ ପୂଜନ କରାଯାଇଥିଲା।ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ଶିକ୍ଷାର୍ଥୀମାନେ ବକ୍ତୃତା ପ୍ରଦାନ କରିଥିଲେ ଓ ଛାତ୍ରୀମାନେ ଗୁରୁ ଭକ୍ତି ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ହାରାଚନ୍ଦ ପଟେଲ ଯୋଗ ଦେଇ ଉତ୍ତମ ଚରିତ୍ର ଗଠନରେ ଶିକ୍ଷକଙ୍କ ଭୂମିକା କିପରି ଗୁରୁତ୍ବ ବହନ କରେ ସେ ସମ୍ପର୍କରେ ଆଲୋଚନା କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ପଟେଲଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା।ଶିକ୍ଷକ ସଂଜୟ ଖମାରୀ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଚନ୍ଦ୍ରିକା ଦାଶ,ଲକ୍ଷ୍ମୀବତୀ ଭୋଇ, ରୋଜାଲିନ ଭୋଇ,ଶିକ୍ଷକ ଶ୍ରୀପତି ସାହୁ ଓ ଈଶ୍ୱର ପଧାନ ଗୁରୁଙ୍କ ମହିମା ଓ ଆଦର୍ଶ ଗୁରୁଙ୍କ ବାଣୀ ସମ୍ପର୍କରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ସୌଦାମିନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।




