ୟୁଏଇରେ ଓଡ଼ିଶାର ନିବେଶ ଅଭିଯାନ
ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ନିବେଶକ ବୈଠକ ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା
ଆବୁଧାବି/ଭୁବନେଶ୍ୱର: ଓଡ଼ିଶାରେ ବିଦେଶୀ ନିବେଶ ବୃଦ୍ଧି ଏବଂ ୟୁଏଇ ସହ ଶିଳ୍ପ ଓ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ନିବେଶ ଅଭିଯାନ। ମୁଖ୍ୟମନ୍ତ୍ରୀ ଆବୁଧାବିରେ ପହଞ୍ଚିବା ପରେ ଆଗାମୀ ନିବେଶକ ଓ ଶିଳ୍ପପତିଙ୍କ ସହ ହେବାକୁ ଥିବା ଆଲୋଚନାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି।
ସେପ୍ଟେମ୍ବର ୯ରୁ ୧୧ ପର୍ଯ୍ୟନ୍ତ ୟୁଏଇରେ ବିଭିନ୍ନ ଉଚ୍ଚସ୍ତରୀୟ ବୈଠକ ଓ ନିବେଶକ ସମ୍ମିଳନୀ ହେବ। ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୨ରେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି।
ଶିଳ୍ପରୁ ଶକ୍ତି, ଭିତ୍ତିଭୂମିରୁ ନୂଆ କ୍ଷେତ୍ର
ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୟୁଏଇରୁ ଓଡ଼ିଶାକୁ ଅଧିକ ନିବେଶ ଆକୃଷ୍ଟ କରିବା। ମାନୁଫ୍ୟାକଚରିଂ, ଭିତ୍ତିଭୂମି, ଶକ୍ତି, ପେଟ୍ରୋକେମିକାଲ୍ସ, କେମିକାଲ୍ସ ଏବଂ ଉଦୀୟମାନ ଶିଳ୍ପ କ୍ଷେତ୍ରରେ ନୂଆ ଭାଗିଦାରୀ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯିବ।
ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଶିଳ୍ପ ବିଭାଗ ଓ ଇପିକଲର ବରିଷ୍ଠ ଅଧିକାରୀମାନେ ୟୁଏଇ ଗସ୍ତରେ ସାମିଲ ହୋଇଛନ୍ତି। ଆବୁଧାବିରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ସ୍ଥାନୀୟ ଅଧିକାରୀ ଓ ପ୍ରତିନିଧିମାନେ ଦଳକୁ ସ୍ୱାଗତ କରିଥିଲେ।
ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା
ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଆର୍ଥିକ ଓ ଜନସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା କରିଥିଲେ। ୟୁଏଇରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଶା-ୟୁଏଇ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ ଅଭିହିତ କରି ସେମାନଙ୍କ ପାଇଁ ସହାୟତା, ସୁବିଧା ଓ ‘ଇଜ୍ ଅଫ୍ ଲିଭିଂ’ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।
ନିବେଶକଙ୍କ ସହ ସିଧାସଳଖ ଆଲୋଚନା
ସେପ୍ଟେମ୍ବର ୯ରେ ଆବୁଧାବିରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC) ଓ ଏହାର ବିଭିନ୍ନ ବ୍ୟବସାୟିକ ଶାଖା, ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରୋଫେସନାଲ୍ ଗ୍ରୁପ୍ (IBPG), ୟୁଏଇର ନିବେଶ ମନ୍ତ୍ରୀ ଓ ବରିଷ୍ଠ ନିବେଶକମାନଙ୍କ ସହ ଆଲୋଚନା ହେବ। ପରେ ପେଟ୍ରୋକେମିକାଲ୍ସ ଓ କେମିକାଲ୍ସ କ୍ଷେତ୍ର ଉପରେ ମଧ୍ୟ ବିଶେଷ ଆଲୋଚନା କରାଯିବ।
ଏହି ବୈଠକରେ କେବଳ ନିବେଶ ପ୍ରସ୍ତାବ ନୁହେଁ, ବରଂ ପ୍ରଯୁକ୍ତି ସହଯୋଗ, ନିର୍ଦ୍ଦିଷ୍ଟ ଶିଳ୍ପ ପ୍ରକଳ୍ପ ଓ ଦୀର୍ଘକାଳୀନ ବ୍ୟବସାୟିକ ଭାଗିଦାରୀ ନେଇ ଆଲୋଚନା ହେବ।
‘ନିବେଶ ସହ ରୋଜଗାର ସୃଷ୍ଟି ଆମ ଲକ୍ଷ୍ୟ’
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଓଡ଼ିଶା ଶିଳ୍ପ ବିକାଶର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି। ୟୁଏଇ ସହ ଆଲୋଚନା କେବଳ ନିବେଶ ଆମନ୍ତ୍ରଣରେ ସୀମିତ ନରହି ବିଶ୍ୱାସ, ପ୍ରଯୁକ୍ତି, ମୂଲ୍ୟବୃଦ୍ଧି ଓ ରୋଜଗାରକୁ ଆଧାର କରି ଦୀର୍ଘକାଳୀନ ଭାଗିଦାରୀ ଗଢ଼ିବା ଦିଗରେ ଆଗକୁ ବଢ଼ିବ।
ଓଡ଼ିଶାର ପ୍ରାକୃତିକ ସମ୍ପଦ, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଉପଲବ୍ଧ ବିଦ୍ୟୁତ୍, ଦକ୍ଷ ମାନବସମ୍ବଳ ଓ ଦେଶ-ବିଦେଶର ବଜାର ସହ ସୁବିଧାଜନକ ସଂଯୋଗକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିବ ଓଡ଼ିଶା ପ୍ରତିନିଧିମଣ୍ଡଳୀ।
ସରକାରଙ୍କ ଲକ୍ଷ୍ୟ ହେଉଛି ନିବେଶକଙ୍କ ଆଗ୍ରହକୁ ପ୍ରକୃତ ପ୍ରକଳ୍ପରେ ପରିଣତ କରିବା ସହ ରାଜ୍ୟରେ ନୂଆ ଶିଳ୍ପ, ଅଧିକ କର୍ମସଂସ୍ଥାନ ଓ ଦୀର୍ଘମିଆଦୀ ଆର୍ଥିକ ବିକାଶର ଭିତ୍ତି ମଜବୁତ କରିବା।



