ଆଦିବାସୀଙ୍କ ଜମି-ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ୱ
ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର: ଅନୁସୂଚିତ ଜନଜାତିଙ୍କ ବିକାଶ, କଲ୍ୟାଣ ଓ ଅଧିକାର ସୁରକ୍ଷା ନେଇ ଓଡ଼ିଶାରେ ସମୀକ୍ଷା କରିଛନ୍ତି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଶ୍ରୀ ଅନ୍ତର ସିଂ ଆର୍ଯ୍ୟ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ସେ ପୁରୀ ଗସ୍ତ କରିବା ପରେ ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।
ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଅନୁସୂଚିତ ଜନଜାତିଙ୍କ ଶିକ୍ଷା, କଲ୍ୟାଣ, ବିକାଶ, ଜମି ଓ ଜଙ୍ଗଲ ଅଧିକାର ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।
ଆଦିବାସୀ ପରମ୍ପରାର ସୁରକ୍ଷା ଉପରେ ଜୋର
ବୈଠକରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ସହ ଆୟୋଗ ଅଧ୍ୟକ୍ଷ ଭାବ ବିନିମୟ କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଜାଣିଥିଲେ। ଆଦିବାସୀ ସମାଜର ପରମ୍ପରା ଓ ସଂସ୍କୃତି ଅତ୍ୟନ୍ତ ପ୍ରାଚୀନ ହୋଇଥିବାରୁ ଏହାର ମୌଳିକତା ବଜାୟ ରଖିବା ସହ ସୁରକ୍ଷା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଏଥିସହ ଆଦିବାସୀ ଅଞ୍ଚଳର ଜମି ଓ ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲ ଅଧିକାର ହିତାଧିକାରୀଙ୍କ ସ୍ୱାର୍ଥ ରକ୍ଷା ନେଇ ମଧ୍ୟ ଆଲୋଚନା କରିଥିଲେ। ବନ ସୁରକ୍ଷା ସମିତି ଓ ବନ ଅଧିକାର ହିତାଧିକାରୀଙ୍କ ସହ ମତବିନିମୟ କରି ସ୍ଥାନୀୟ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।
ଖୋର୍ଦ୍ଧାରେ ବିଭିନ୍ନ ଯୋଜନାର ସମୀକ୍ଷା
ଖୋର୍ଦ୍ଧା ଜିଲ୍ଲାରେ ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ଓ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଆୟୋଗ ଅଧ୍ୟକ୍ଷଙ୍କୁ ଅବଗତ କରିଥିଲେ। ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟକାରିତାର ସମୀକ୍ଷା କରି ଶ୍ରୀ ଆର୍ଯ୍ୟ ସନ୍ତୋଷ ବ୍ୟକ୍ତ କରିଥିଲେ।
ଏହାପୂର୍ବରୁ ସେ ‘ଏକ ପେଡ୍ ମା’ କେ ନାମ’ ଅଭିଯାନରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ। ଏଥିସହ ରକ୍ତଶିକୁଳି ସମ୍ପର୍କିତ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇଥିଲେ। ବିଭିନ୍ନ ଉଦ୍ୟୋଗ ଓ ସଂସ୍ଥାରେ କାର୍ଯ୍ୟରତ ଅନୁସୂଚିତ ଜନଜାତି ଅଧିକାରୀ ଓ କର୍ମଚାରୀଙ୍କ ସହ ମଧ୍ୟ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ବୈଠକରେ ଭୁବନେଶ୍ୱର ଡିସିପି ଶ୍ରୀ ଜଗମୋହନ ମୀନା, ଆୟୋଗଙ୍କ ନିର୍ଦ୍ଦେଶକ ଶ୍ରୀ ପୁର୍ଣ୍ଣେନ୍ଦୁ କାନ୍ତ, ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଶ୍ରୀ ଲାଡେ ଗଜାନନ ଦୟାନନ୍ଦ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।



