ଆଦିବାସୀ ଅଧିକାର ଦିବସରେ ୯ ଦଫା ଦାବି, ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ମାଲକାନଗିରି, ୧୩/୦୯: ଆଦିବାସୀ ଅଧିକାର ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ଜମି, ଜଙ୍ଗଲ, ଶିକ୍ଷା, ଜୀବିକା ଓ ଅଧିକାର ସୁରକ୍ଷାକୁ ନେଇ ଦାବି ଜୋରଦାର ହୋଇଛି। ଏହି ଅବସରରେ କାଲିମେଳା ବ୍ଲକରେ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଶତାଧିକ ଆଦିବାସୀ ଏକତ୍ରିତ ହୋଇ ଏକ ବିଶାଳ ରାଲି କରିଥିଲେ।
ରାଲି ପରେ ଆନ୍ଦୋଳନକାରୀମାନେ କାଲିମେଳା ବିଡିଓଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ବିଡିଓଙ୍କ ଜରିଆରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।
ଆଦିବାସୀ ମହାସଂଘ ପକ୍ଷରୁ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଗ୍ରାମସଭାର ଅଧିକାରକୁ ସମ୍ମାନ ଦେବା ଏବଂ ଆଦିବାସୀଙ୍କ ଜମି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦାବି କରାଯାଇଛି। ଦୁର୍ଗମ ଆଦିବାସୀ ଅଞ୍ଚଳରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ, ଆଦିବାସୀଙ୍କ ଜମି ହସ୍ତାନ୍ତର ପୂର୍ବରୁ ଗ୍ରାମସଭାର ଅନୁମୋଦନ ଏବଂ ନକଲି ଜାତିଗତ ପ୍ରମାଣପତ୍ର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ସେହିପରି ବେଆଇନ ଅନୁପ୍ରବେଶ ଓ ଆଦିବାସୀଙ୍କ ଜମି ଦଖଲ ଘଟଣାର ତଦନ୍ତ, ଏଥିପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ, ଏବଂ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଓ ସାମୂହିକ ଜଙ୍ଗଲ ଅଧିକାର ଶୀଘ୍ର ପ୍ରଦାନ ପାଇଁ ଦାବି କରାଯାଇଛି।
ଜିଲ୍ଲାରେ ବାଲି, ମାଟି, ପଥର, କେନ୍ଦୁପତ୍ର, କାଠ ଓ ବାଉଁଶର ବେଆଇନ ଚୋରାଚାଲାଣ ରୋକିବା ସହ ବିସ୍ଥାପିତଙ୍କୁ ନ୍ୟାୟସଙ୍ଗତ କ୍ଷତିପୂରଣ, ଜମି, ଘର ଓ ସ୍ଥାୟୀ ଥଇଥାନ ଯୋଗାଇଦେବାକୁ ମଧ୍ୟ ଦାବି ରହିଛି।
ଏହାସହ ଜିଲ୍ଲା ସଦର ମହକୁମାରେ ଡିଆଇଇଟି ଓ ପ୍ରତ୍ୟେକ ବ୍ଲକରେ ବିଆଇଇଟି ସ୍ଥାପନ, ଜନଗଣନାରେ ଆଦିବାସୀଙ୍କ ପ୍ରକୃତିପୂଜା ଓ ସ୍ୱତନ୍ତ୍ର ଧାର୍ମିକ ପରିଚୟକୁ ସମ୍ମାନ, ଗ୍ରାମସଭାର ଅନୁମୋଦନ ବିନା ଆଦିବାସୀ ଅଞ୍ଚଳରେ କୌଣସି ପ୍ରକଳ୍ପ ନକରିବା ଏବଂ ଚାଲୁଥିବା ମେଗା ପାନୀୟଜଳ ପ୍ରକଳ୍ପ ଶୀଘ୍ର ସାରିବାକୁ ଦାବି କରାଯାଇଛି।
ଅଣଜଳସେଚିତ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବା ସହ ସମସ୍ତ ରାଜସ୍ୱ ଗ୍ରାମରେ ଘରଡିହ ପଟ୍ଟାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ‘ବସୁଧା’ ଯୋଜନାରେ ଘରଡିହ ପଟ୍ଟା ପ୍ରଦାନ ପାଇଁ ମଧ୍ୟ ମହାସଂଘ ଦାବି ରଖିଛି।
ଆଦିବାସୀ ସମାଜର ଏହି ସମସ୍ତ ଦାବି ପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଗୁରୁତ୍ୱ ଦେଇ ସକାରାତ୍ମକ ପଦକ୍ଷେପ ନେବାକୁ ମହାସଂଘ ପକ୍ଷରୁ ଆହ୍ୱାନ କରାଯାଇଛି। କାର୍ଯ୍ୟକ୍ରମରେ ମଲା ମାଢି, ବୁଦ୍ରା କବାସୀ, ବାଗା ମାଡକାମୀ, ହରି ଗଲରୀଙ୍କ ସମେତ ବହୁ ଆଦିବାସୀ ପ୍ରତିନିଧି ଓ ସମର୍ଥକ ଉପସ୍ଥିତ ଥିଲେ।



