ୟଶୋଭୂମିରେ ଓଡ଼ିଶା ପାଭିଲିୟନ ଉଦ୍ଘାଟିତ
ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶାର ନିବେଶ ସୁଯୋଗ ପ୍ରଦର୍ଶିତ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ୟଶୋଭୂମିଠାରେ ଆୟୋଜିତ SEMICON India 2026 ଅବସରରେ ଓଡ଼ିଶା ପାଭିଲିୟନର ଉଦ୍ଘାଟନ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦ୍ଘାଟିତ ଏହି ପାଭିଲିୟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ।
ଓଡ଼ିଶା ପାଭିଲିୟନରେ ରାଜ୍ୟର ସେମିକଣ୍ଡକ୍ଟର ଶିଳ୍ପ ସମ୍ଭାବନା, ପ୍ରମୁଖ ପ୍ରକଳ୍ପ, ନୀତିଗତ ପ୍ରୋତ୍ସାହନ, ଭିତ୍ତିଭୂମି ଏବଂ ନିବେଶ ସୁଯୋଗକୁ ପ୍ରମୁଖତାର ସହ ପ୍ରଦର୍ଶିତ କରାଯାଇଛି।
ବିଶେଷକରି ସେମିକଣ୍ଡକ୍ଟର ଉତ୍ପାଦନ, ଆଡଭାନ୍ସଡ୍ ପ୍ୟାକେଜିଂ, ଚିପ୍ ଡିଜାଇନ୍ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଓଡ଼ିଶାରେ ରହିଥିବା ସମ୍ଭାବନା ଏହି ପାଭିଲିୟନ ମାଧ୍ୟମରେ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଛି।
ରାଜ୍ୟ ସରକାର ନିବେଶ ସହିତ ନବସୃଜନ ଓ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଉପରେ ଗୁରୁତ୍ୱ ଦେଇ ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ଆବଶ୍ୟକ ଏକ ସୁଦୃଢ଼ ଇକୋସିଷ୍ଟମ୍ ଗଠନ ଦିଗରେ ଆଗକୁ ବଢ଼ୁଛି। ଏହା ମାଧ୍ୟମରେ ଭାରତର ବଢ଼ୁଥିବା ସେମିକଣ୍ଡକ୍ଟର ଶିଳ୍ପରେ ଓଡ଼ିଶାକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ପ୍ରତିଷ୍ଠିତ କରିବା ଲକ୍ଷ୍ୟ ରହିଛି।

#SEMICONIndia2026 #Odisha #Semiconductor #InvestInOdisha



