ପୁରୀରେ ବୈଧ ମାପ ବିଜ୍ଞାନର ନୂତନ କାର୍ଯ୍ୟାଳୟ ଲୋକାର୍ପିତ

ଉପଭୋକ୍ତାଙ୍କ ଅଧିକାର ସୁରକ୍ଷା ସହ ଓଜନ ଓ ମାପରେ ସଠିକତାକୁ ଗୁରୁତ୍ୱ
ପୁରୀ: ପୁରୀ ତାଳବଣିଆଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନ ବୈଧ ମାପ ବିଜ୍ଞାନର ଉପ ନିୟନ୍ତ୍ରକ ଓ ସହକାରୀ ନିୟନ୍ତ୍ରକଙ୍କ ନବନିର୍ମିତ କାର୍ଯ୍ୟାଳୟକୁ ଲୋକାର୍ପଣ କରାଯାଇଛି। ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ନୂତନ କାର୍ଯ୍ୟାଳୟର ଲୋକାର୍ପଣ କରିଥିଲେ।
ଓଜନ ଓ ମାପରେ ସଠିକତା ବଜାୟ ରଖିବା ସହ ଉପଭୋକ୍ତାଙ୍କ ଅଧିକାର ସୁରକ୍ଷିତ କରିବାରେ ବୈଧ ମାପ ବିଜ୍ଞାନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୁରୀରେ ନୂତନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ଫଳରେ ଜିଲ୍ଲାବାସୀଙ୍କୁ ଓଜନ ଓ ମାପ ସମ୍ପର୍କିତ ବିଭିନ୍ନ ସେବା ଅଧିକ ସୁବିଧାଜନକ ଓ ସୁବ୍ୟବସ୍ଥିତ ଭାବେ ମିଳିପାରିବ।
କାର୍ଯ୍ୟାଳୟ ଲୋକାର୍ପଣ ଅବସରରେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ଏବଂ ଓଡ଼ିଶା ସରକାରଙ୍କ ବୈଧ ମାପ ବିଜ୍ଞାନ ନିୟନ୍ତ୍ରକ ବିସିକେଶନ ଦେହୁରୀଙ୍କ ସମେତ ବହୁ ଜନପ୍ରତିନିଧି, ବିଭାଗୀୟ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ନୂତନ କାର୍ଯ୍ୟାଳୟ ମାଧ୍ୟମରେ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା, ବ୍ୟବସାୟିକ ଓଜନ-ମାପରେ ନିୟମିତ ଯାଞ୍ଚ ଏବଂ ବୈଧ ମାପ ପ୍ରଣାଳୀର କାର୍ଯ୍ୟକାରିତାକୁ ଆହୁରି ସୁଦୃଢ଼ କରାଯିବା ଆଶା କରାଯାଉଛି।




