ତାଳଚେର ଗଣପତି ବାବାଙ୍କ ପୂଜା
୮ମ ସନ୍ଧ୍ୟାରେ ଖୋଚାଖୋଚ୍ ଭିଡ଼
ତାଳଚେର, ୨୧/୦୯ ତାଳଚେରର ଐତିହ୍ୟ, ଅଂଚଳବାସୀଙ୍କ ପ୍ରଚେଷ୍ଟାରେ ବଜାୟ ରହି ଆଜି ଅଗ୍ରପୂଜ୍ୟ ବାବା ଗଜାନନଙ୍କ ପୂଜା ୮ମ ସନ୍ଧ୍ୟାରେ ପଂହଚିଛି । ସନ୍ଧ୍ୟା ସମୟରେ ଜୁଆଡ଼େ ଦେଖିବ ସିଆଡ଼େ ଖୋଚାଖୋଚ ଭିଡ଼ । ପୂଜା ମାହୋଲ ପୁରା ସରଗରମ, ଶୁଖିଲା ପାଗ ବ୍ୟବସାୟୀଙ୍କୁ ଦେଇଛି ବେପାରର ପସରା । ବେପାରୀମାନେ ବେଶ ଭଲ ଦି’ ପଇସା ରୋଜଗାର କରି ପାରୁଛନ୍ତି । ଛୋଟ ମୋଟ ବ୍ୟସାୟୀଙ୍କ ଠାରୁ ଆରମ୍ଭ କରି ମହାଜନମାନେ ମଧ୍ୟ ଆନନ୍ଦିତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ଏବଂ ବ୍ୟବସାୟୀମାନେ ହସି ହସି ଲୋକଙ୍କ ଚାହିଦା ମୂତାବକ କୌଣସି କୁଣ୍ଠାବୋଧ ନକରି ବିଭିନ୍ନ ପ୍ରକାର ସାମଗ୍ରୀ ଦେଖାଉଛନ୍ତି । ଖାସ୍କରି ଗଣେଶ ପୂଜା ଓଡ଼ିଶା ପ୍ରସିଦ୍ଧ ହୋଇଥିବା ବେଳେ ତାଳଚେର ରାଜପ୍ରସାଦ ସିଂହଦ୍ୱାର ମଧ୍ୟ ଓଡ଼ିଶା ପ୍ରସିଦ୍ଧ, ତେବେ ଏଦୃଶ୍ୟ ଏଥର ପୂଜାରେ ‘ୱାର୍ଡ଼ ନଂ – ୪ ବିରାଦରପଡ଼ା ସାହି’ ଗଣେଶପୂଜା କମିଟି ପକ୍ଷରୁ ତାଳଚେର ସିଂହ ଦ୍ୱାରର ଚିତ୍ର ଲାଇଟ ତୋରଣରେ ହୋଇଥିବା ଦେଖାଯାଇଛି । ସାରାଆକାଶ, ମହାବଳପଡ଼ା, ବଡ଼ଦାଣ୍ଡ ସାହି, ବଡ଼ବଜାର, ନୂଆଁବଜାର, ମାରୁଆଡ଼ିପଟ୍ଟୀ, ଭୈରବୀ ସାହି, ମହାରଣା ସାହି, କାରିଗରପଡ଼ା, ଚିତ୍ରକୂଟ ବଜାର, ରାମଚନ୍ଦ୍ର ବଜାର, ହାଟତୋଟା ରୋଡ଼୍, ହାଟତୋଟା ବଣିକସଂଘ, ହାଟତୋଟା ମ୍ୟୁନିସପାଲିଟି ମାରର୍କେଟ, ଜେଲରୋଡ଼୍, ବସଷ୍ଟାଣ୍ଡ, ପୁରୁଣା ପୋଷ୍ଟ ଅଫିସ୍, ଜାମ୍ବୁବଣିଆ ସାହି, ରୁଦ୍ରସେବକ ସଂଘ, ସିଂହ ସାହି, ଜୟହୀନ୍ଦ କ୍ଲବ, ବଉଳଛକ ରାସପାଟି, ପାଟଣା ସାହି, ବିରାଦରପଡ଼ା ଯୁବଗୋଷ୍ଠୀ, ଅରାସାହି, ଅଲରାଉଣ୍ଡର ଗଣେଶପୂଜା କମିଟି, କାରଗିଲ୍ ଗ୍ରୁପ୍, ମୋଚିସାହି, ବାପୁଜୀ ନଗର ଯୁବକସଂଘ, ବାପୁଜୀ ନଗର ବିଭାଗ – ଖ, ବାପୁଜୀନଗର ବିଭାଗ-ଗ, ହନୁମାନପଡ଼ା ଗଣେପୂଜା କମିଟି ତଥା ସମସ୍ତ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୂଜା କମିଟିଙ୍କ ଦ୍ୱାରା ପୌରାଣିକ ଧାରାବାହିକ, ବାହାନଗା ରେଳଦୁର୍ଘଟଣା, ଭାରତର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରର ଦୃଶ୍ୟ, ଏମିତି କି ବିଭିନ୍ନ ସାଜସଜ୍ଜା କରି ଦର୍ଶକଙ୍କ ମନକୁ ଆଦୃତ କରିପାରୁଛନ୍ତି । ବଡ଼ଦାଣ୍ଡ ସାହି ଠାରୁ ଆରମ୍ଭ କରି ହାଣ୍ଡିଧୂଆଁ ପର୍ଯ୍ୟନ୍ତ ୪କିମି ରାସ୍ତାରେ ବଡ଼ବଡ଼ ଲାଇଟ୍ ତୋରଣ ସହିତ ଅନେକ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି କଳାହୀରା ସହର । ଆଜି ନବମ ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ପୂଜା କମିଟି ପକ୍ଷରୁ ପ୍ରାୟ ଛକ ଗୁଡ଼ିକରେ ମେଲୋଡ଼ି, ଗୀତନାଚର କାର୍ଯ୍ୟକ୍ରମ ଚାଲିବା ସହ ପ୍ରସାଦ ବଂଟନ କରାଯାଉଥିବା ଦେଖାଯାଉଛି ।

ପ୍ରଶାସନ ପକ୍ଷରୁ ଜନଗହଳିକୁ ନିୟନ୍ତ୍ରଣ କରିବାକୁ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରତିଛକ ଓ ମେଢ଼ ସମ୍ମୁଖରେ ପୋଲିସ୍ ହୋମଗାର୍ଡ଼ ନିୟୋଜିତ କରିବା ସହ ଭାରୀଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ପୂଜା ଦେଖି ଆସୁଥିବା ଦର୍ଶକଙ୍କ ନିମନ୍ତେ ଅସ୍ଥାୟୀ ପରିଶ୍ରାଗାର କରାଯାଇନଥିବାରୁ ବିଶେଷ କରି ମହିଳାମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂଜାମାହୋଲରେ କୌଣସିି ଅପରାଧିକ କାର୍ଯ୍ୟ ନିୟନ୍ତ୍ରଣ କରିବାକୁ ପୋଲିସ୍ ପାଟ୍ରୋଲିଙ୍ଗ ଓ ମଦ୍ୟପ ଧରପଗଡ଼ ଗାଡ଼ି ଘନଘନ ପଇନ୍ତରା ମାରୁଛି । ତାଳଚେର କଲେଜ ପଡ଼ିଆରେ ବିଭିନ୍ନ ପ୍ରକାର ଦୋଳି ଓ ମନମୂତାବକ ଚଟପଟି ଖାଦ୍ୟ ଖାଇ ଲୋକେ ପୂଜା ଉପଭୋଗ କରିବା ସହ ବେଶ ଆନନ୍ଦିତରେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛଇ । ତେବେ ଭସାଣୀ ଉତ୍ସବ ୨୯ତାରିଖରେ ହେବାକୁ ଥିବା ବେଳେ ଯଦି ପାଗ ଅନୁକୂଳ ରୁହେ ତେବେ ଜନସଂଖ୍ୟା ଆହୁରି ବୃଦ୍ଧିପାଇବାର ଆଶା କରାଯାଇଛି ।




