ବିଜେପିରେ ବଡ଼ ସାଂଗଠନିକ ଅଦଳବଦଳ
ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣା, ଓଡ଼ିଶା ଦାୟିତ୍ୱରେ ଡି. ପୁରନ୍ଦେଶ୍ୱରୀ
ନୂଆଦିଲ୍ଲୀ: ବିଜେପି ସଂଗଠନରେ ବଡ଼ ଅଦଳବଦଳ ହୋଇଛି। ଦଳ ପକ୍ଷରୁ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନିଯୁକ୍ତି ଘୋଷଣା କରାଯାଇଛି। ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କ ପକ୍ଷରୁ ଏହି ନୂଆ ତାଲିକା ଜାରି ହୋଇଛି। ନୂଆ ଦାୟିତ୍ୱଗୁଡ଼ିକ ତତ୍କାଳ ଲାଗୁ ହେବ।
ନୂଆ ତାଲିକାରେ କିଛି ବରିଷ୍ଠ ନେତାଙ୍କୁ ଏକାଧିକ ରାଜ୍ୟର ଦାୟିତ୍ୱ ମିଳିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣାର ପ୍ରଭାରୀ କରାଯାଇଛି। ହରିଶ ଦ୍ୱିବେଦୀଙ୍କୁ ବିହାର ଓ କର୍ଣ୍ଣାଟକ, ରାମ ମାଧବଙ୍କୁ ତାମିଲନାଡୁ ଓ ଉତ୍ତରାଖଣ୍ଡ, ସୁନୀଲ ବଂଶଲଙ୍କୁ ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ଦାୟିତ୍ୱ ଦିଆଯାଇଛି।
ଓଡ଼ିଶାରେ ଡି. ପୁରନ୍ଦେଶ୍ୱରୀ
ଓଡ଼ିଶା ପାଇଁ ଡି. ପୁରନ୍ଦେଶ୍ୱରୀଙ୍କୁ ପ୍ରଭାରୀ ଏବଂ ଡା. ସ୍ୱଦେଶ ସିଂହଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି। ଏହି ନିଯୁକ୍ତି ସହ ରାଜ୍ୟରେ ଦଳୀୟ ସଂଗଠନ ସମ୍ପର୍କିତ କାର୍ଯ୍ୟର ଦାୟିତ୍ୱ ନୂଆ ଟିମ୍ ନେବ।
ଅନ୍ୟପଟେ, ବୈଜୟନ୍ତ ପଣ୍ଡାଙ୍କୁ ମହାରାଷ୍ଟ୍ରର ପ୍ରଭାରୀ କରାଯାଇଛି। ତାଙ୍କ ସହ ଅମିତ ମାଲବ୍ୟ, ସଦାନନ୍ଦ ଶେଟ ତନାୱଡେ ଓ କମଲଜିତ ସେହରାୱତ ସହ-ପ୍ରଭାରୀ ଭାବେ କାର୍ଯ୍ୟ କରିବେ। ଉତ୍ତରପ୍ରଦେଶର ପ୍ରଭାରୀ ହୋଇଛନ୍ତି ବିନୋଦ ତାୱଡେ ଏବଂ ହିମାଚଳ ପ୍ରଦେଶର ଦାୟିତ୍ୱ ଶ୍ରୀକାନ୍ତ ଶର୍ମାଙ୍କୁ ମିଳିଛି।
୨୦୨୭ ନିର୍ବାଚନ ଥିବା ରାଜ୍ୟ ଉପରେ ଗୁରୁତ୍ୱ
ନୂଆ ସାଂଗଠନିକ ନିଯୁକ୍ତିରେ ୨୦୨୭ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର, ଗୁଜରାଟ ଓ ହିମାଚଳ ପ୍ରଦେଶ ପାଇଁ ମଧ୍ୟ ନୂଆ ଟିମ୍ ଗଠନ କରାଯାଇଛି।
ଦଳୀୟ ସଂଗଠନର ସମନ୍ୱୟ, ରାଜ୍ୟସ୍ତରୀୟ କାର୍ଯ୍ୟକଳାପ ଏବଂ ଆଗାମୀ ନିର୍ବାଚନୀ ପ୍ରସ୍ତୁତି ନୂଆ ପ୍ରଭାରୀ ଓ ସହ-ପ୍ରଭାରୀମାନଙ୍କ ଦାୟିତ୍ୱରେ ରହିବ। ଏହି ନିଯୁକ୍ତି ମାଧ୍ୟମରେ ବିଜେପି ବିଭିନ୍ନ ରାଜ୍ୟରେ ନିଜ ସାଂଗଠନିକ ବ୍ୟବସ୍ଥାକୁ ପୁନର୍ଗଠିତ କରିଛି।



