ଏଲପିଜି କଳାବଜାରୀ ଉପରେ କଡ଼ା ନଜର: ରାଜ୍ୟରେ ୩,୮୩୯ ସ୍ଥାନରେ ଚଢ଼ାଉ, ୮,୪୫୭ ସିଲିଣ୍ଡର ଜବତ
ଭୁବନେଶ୍ୱର: ଏଲ୍ପିଜି ସିଲିଣ୍ଡରର କଳାବଜାରୀ, ବେଆଇନ ମହଜୁଦ ଓ ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ରାଜ୍ୟ ସରକାର ଚଢ଼ାଉକୁ ଜୋରଦାର କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ବିଭିନ୍ନ ଜିଲ୍ଲାରେ ଏଲ୍ପିଜି ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଆରମ୍ଭ କରି ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନରେ ଯାଞ୍ଚ ଜାରି ରଖିଛନ୍ତି।
ବିଧାନସଭାରେ ଯୋଗାଣ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ୨୧ ସେପ୍ଟେମ୍ବର ୨୦୨୬ ସୁଦ୍ଧା ରାଜ୍ୟରେ ୩,୮୩୯ଟି ସ୍ଥାନରେ ଯାଞ୍ଚ କରାଯାଇଛି। ଏଥିରେ ୧,୧୨୮ ଜଣ ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ଏବଂ ୨,୭୧୧ଟି ଅନ୍ୟାନ୍ୟ ସ୍ଥାନ ସାମିଲ ରହିଛି।
ଜବତ ହେଲା ୮,୪୫୭ ସିଲିଣ୍ଡର
ଏନ୍ଫୋର୍ସମେଣ୍ଟ ଚଢ଼ାଉ ସମୟରେ ବେଆଇନ ଭାବେ ରଖାଯାଇଥିବା କିମ୍ବା ନିୟମ ବାହାରେ ବ୍ୟବହାର ହେଉଥିବା ମୋଟ ୮,୪୫୭ଟି ଏଲ୍ପିଜି ସିଲିଣ୍ଡର ଜବତ କରାଯାଇଛି। ଏହି ଘଟଣାଗୁଡ଼ିକରେ Essential Commodities Act ଅଧୀନରେ ୪୯୯ଟି ମାମଲା ରୁଜୁ ହୋଇଛି। ଏହାସହ ୪୭ଟି ଏତଲା ଦାଏର ହୋଇଥିବା ବେଳେ ୯ ଜଣଙ୍କୁ ଗିରଫ କରାଯାଇଛି।
ବାଲେଶ୍ୱରରେ ସର୍ବାଧିକ ସିଲିଣ୍ଡର ଜବତ
ଜିଲ୍ଲାୱାରୀ ତଥ୍ୟକୁ ଦେଖିଲେ ବାଲେଶ୍ୱରରୁ ସର୍ବାଧିକ ୧,୩୧୩ଟି ସିଲିଣ୍ଡର ଜବତ ହୋଇଛି। ଏହା ପରେ କଟକରୁ ୧,୦୪୩, ଜଗତସିଂହପୁରରୁ ୧,୦୧୧, ଖୋର୍ଦ୍ଧାରୁ ୬୨୫, ସୁନ୍ଦରଗଡ଼ରୁ ୪୧୪ ଏବଂ ଯାଜପୁରରୁ ୪୧୦ଟି ସିଲିଣ୍ଡର ଜବତ କରାଯାଇଛି।
ବିଭାଗର ନଜର କେବଳ ଏଲ୍ପିଜି ଡିଷ୍ଟ୍ରିବ୍ୟୁଟରଙ୍କ ଉପରେ ସୀମିତ ନାହିଁ। ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ବାଣିଜ୍ୟିକ ସ୍ଥାନରେ ଘରୋଇ ଏଲ୍ପିଜିର ଅନଧିକୃତ ବ୍ୟବହାର ଏବଂ ବେଆଇନ ମହଜୁଦ ଉପରେ ମଧ୍ୟ ନଜର ରଖାଯାଉଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏଲ୍ପିଜି କଳାବଜାରୀ ଓ ଅନିୟମିତତା ବିରୋଧରେ ଏହି ଏନ୍ଫୋର୍ସମେଣ୍ଟ ଡ୍ରାଇଭ୍ ଆଗକୁ ମଧ୍ୟ ଜାରି ରହିବ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।



