

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ
ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦାଖଲ ହୋଇଥିବା ସମୁଦାୟ ୩୩ଟି ଅଭିଯୋଗରୁ ୨୯ଟି ବ୍ୟକ୍ତିଗତ ଓ ୦୪ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହାଛଡା ଦାଖଲ ହୋଇଥିବା ୩୩ ଅଭିଯୋଗ ମଧ୍ୟରୁ ୧୧ଟି ଅଭିଯୋଗର ଆଜିର ଶିବିରରେ ଫଇସଲା କରାଯାଇଥିଲା । ରେଡକ୍ରସ୍ ତରଫରୁ ଜଣକୁ ୫ ହଜାର ଟଙ୍କା ଚେକ୍ ଆକାରରେ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟରାସ୍ତା, ଶିକ୍ଷା ବିଭାଗରେ ପଦୋନ୍ନତି ସମ୍ପର୍କିତ ସମସ୍ୟା, ଜମିଜମା ବିବାଦ, ଭୂମିହୀନ, ପାରିବାରିକ କଳହ, ଜବର ଦଖଲ ଓ ପେନସନ୍ ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ, ଡେପୁଟୀ କଲେକ୍ଟର ମଧୁସ୍ମିତା ବିଶି, ମିନର୍ଭା ନାୟକ ଓ ଶ୍ରୀ ସତ୍ୟାନନ୍ଦ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।





