ଭୂବନେଶ୍ୱର, ୨୧/୦୩ : ଭାରତ ସରକାରଙ୍କ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ର ସିଏସଆର କାର୍ଯ୍ୟକ୍ରମ ଅଂଶବିଶେଷ ଭାବେ ଏବଂ ନିରନ୍ତର ବିକାଶ ପ୍ରତି ପ୍ରତିବଦ୍ଧତାର ଅଂଶସ୍ୱରୂପ, କୋରାପୁଟର ସହୀଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ୧୦ କୋଟି ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସାମଲଙ୍କ ସହ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏଚ ଆଣ୍ଡ ଏ) ଶ୍ରୀ ଆଶୁତୋଷ ରଥ କୋରାପୁଟ ଜିଲ୍ଲାପାଳ ଶ୍ରୀଭି. କୀର୍ତ୍ତିଭାସନଙ୍କୁ ଭେଟି ଏହି ଚେକ ଆଜିପ୍ରଦାନ କରିଛନ୍ତି । ଏହି ଅବସରରେ ସହୀଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲର ଅଧୀକ୍ଷକ ତଥା ଡିନ୍ଏବଂ ପ୍ରିନ୍ସିପାଲ ପ୍ରଫେସର (ଡକ୍ଟର) ସୁଶାନ୍ତ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।ନାଲକୋର ସିଏସଆର ଶାଖା” ନାଲକୋ ଫାଉଣ୍ଡେସନ” ମାଧ୍ୟମରେ ପ୍ରଦାନ କରାଯାଇଥିବା ଏହି ଅର୍ଥ ରାଶି ହସ୍ପିଟାଲର ବିଭିନ୍ନ ବିଭାଗରେ ରୋଗୀସେବାକୁ ଉନ୍ନତ କରିବା ପାଇଁ ଅତ୍ୟାବଶ୍ୟକ ସୁବିଧା ଏବଂ ଉନ୍ନତ ଚିକିତ୍ସା ଉପକରଣ କ୍ରୟ ସହ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ନିମନ୍ତେ ବ୍ୟବହୃତ ହେବ ସହୀଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ କୋରାପୁଟ ଜିଲ୍ଲାର ଅଧିବାସୀଙ୍କୁ ବିଶେଷ କରି,ଆଦିବାସୀ ସମ୍ପ୍ରଦାୟକୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନାଲକୋର ଆର୍ଥିକ ସହାୟତା ହସ୍ପିଟାଲର କ୍ଷମତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବା ସହ ସମଗ୍ର ଜିଲ୍ଲା ତଥା ପରିପାର୍ଶ୍ଵିକ ଅଞ୍ଚଳର ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆବଶ୍ୟକୀୟ ସୁବିଧା ସୁଯୋଗ କ୍ଷେତ୍ରରେ ଉନ୍ନତିଆଣିବ ବୋଲି ଆଶାକରାଯାଉଛି ।ସୂଚନାଯୋଗ୍ୟ ଯେ, କମ୍ପାନୀ ନିଜର ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ କୋରାପୁଟ ଅଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଯୋଗାଇ ଦେଇଆସୁଛି। ନାଲକୋ ପକ୍ଷରୁ କୋରାପୁଟର ଦାମନଯୋଡ଼ି ଅଞ୍ଚଳରେ ରହିଥିବା ନିଜର ଖଣି ଓ ପରିଶୋଧନ ପ୍ରକଳ୍ପର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ନିରନ୍ତର ମୋବାଇଲ୍ ସ୍ୱାସ୍ଥ୍ୟସେବା ଲିମିଟେଡ଼ ମାଧ୍ୟମରେ ୧୬୩ ରୁ ଉର୍ଦ୍ଧ୍ଵ ଅପହଞ୍ଚ ପାର୍ଶ୍ୱବର୍ତ୍ତୀ ଗ୍ରାମ ଏବଂ ସଂଲଗ୍ନ ଗ୍ରାମକୁ ମୌଳିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିଆସୁଛି । ଏହା ବ୍ୟତୀତ,ପୋଟାଙ୍ଗି ଅଞ୍ଚଳରେ ମଧ୍ୟ ୪୮ ରୁ ଅଧିକ ଗ୍ରାମର ବାସିନ୍ଦାଙ୍କୁ ଏହି ସେବା ଯୋଗାଇ ଦିଆଯାଉଛି ।



