ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୋଳ,ତା.୨୭.୦୩:- ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ମୁତାବକ ଓଡିଶା ଦିବସ ଦିନ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇ ସହର ପରିକ୍ରମା କରାଯିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀମାନଂକ ଦ୍ବାରା ପ୍ରଭାତ ଫେରୀ କରାଯିବ ।ସହରରେ ଥିବା ବରପୁତ୍ର ମାନଂକର ପ୍ରତିମୂର୍ତ୍ତୀରେ ରାଜ୍ୟ ସରକାରଂକ ଦ୍ବାରା ସ୍ଥିରିକୃତ ମୁଖ୍ୟ ଅତିଥି ଓ ଜିଲ୍ଲାପାଳଙ୍କ ଦ୍ବାରା ମାଲ୍ୟାର୍ପଣ କରାଯିବ । ଓଡିଶା ଦିବସ ଉପଲକ୍ଷେ ବକ୍ତୃତା,

ଦେଶାତ୍ମବୋଧକ କଣ୍ଠ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ରକ୍ତଭଣ୍ଡାର ଠାରେ ରକ୍ତ ଦାନ ଶିବିର ଆୟୋଜନ କରାଯିବ । ସନ୍ଧ୍ୟାରେ ସ୍ଥାନୀୟ ସଭାଘର ଠାରେ ସାଧାରଣ ସଭା ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଂକୁ ପୁରସ୍କୃତ କରାଯିବ । ପରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେହିପରି ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ନିମନ୍ତେ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ, ଶିଳ୍ପ ସଂସ୍ଥା, ବ୍ୟାଙ୍କ୍ ଓ ବ୍ୟବସାୟ ପ୍ରତିଷ୍ଠାନର ଗୃହ ଗୁଡିକରେ ମାର୍ଚ୍ଚ ୩୧ ଓ ଏପ୍ରିଲ ୧ ତାରିଖରେ ନିଜ ନିଜ ବିଭାଗ ଦ୍ବାରା ଆଲୋକମାଳା ସଜାଇବା ପାଇଁ ନିଷ୍ପତ୍ତ ନିଆଗଲା। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କେ ଶ୍ରବଣ କୁମାର ସମସ୍ତଂକୁ ସ୍ବାଗତ ଜଣାଇବା ସହ ବିଗତ ବର୍ଷର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ଅନ୍ୟମାନଂକ ମଧ୍ୟରେ ଅତିରିକ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞନ ସାହୁ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧ୍ବକାରୀ ଡା. ଧନଞୟ ବେହେରା, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ , ବୁଦ୍ଧିଜିବୀ, ସ୍ୱେଛାସେବୀ, ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।



