*ଜନତା ହାଇସ୍କୁଲରେ କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ*

ବରଗଡ(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ଭୁକ୍ତାରେ ବିଦ୍ୟାଳୟ ସ୍ତରୀୟ କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ,ସମ୍ମାନିତ ଅତିଥି ଭାବରେ ମୋହନ ଚରଣ ମହାନ୍ତ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପ୍ରଶିକ୍ଷକ ଭାବରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଚନ୍ଦ୍ରମା କୁମ୍ଭାର ଯୋଗ ଦେଇଥିବା ବେଳେ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବା ସହିତ ଚାଇଲଡ୍ ଲାଇନ୍ ଇଣ୍ଡିଆ ଫାଉଣ୍ଡେସନ ଦ୍ବାରା ପ୍ରସ୍ତୁତ ନାବାଳିକା ଶିଶୁ ନିର୍ଯ୍ୟାତନା ଉପରେ ପର୍ଯ୍ୟବେସିତ କ୍ଷୁଦ୍ର ଚଳଚ୍ଚିତ୍ର ଛାତ୍ରୀମାନଙ୍କୁ ପ୍ରଦର୍ଶନ କରିଥିଲେ। ଅତିଥିବୃନ୍ଦ କିଶୋର ଅବସ୍ଥାରେ ହେଉଥିବା ଶାରୀରିକ ପରିବର୍ତ୍ତନ ଓ କିଶୋରୀମନଙ୍କ ଚିନ୍ତନମନନ ଶୈଳୀରେ ପରିଲକ୍ଷିତ ହେଉଥିବା ପରିବର୍ତ୍ତନ ବିଷୟରେ ଧାରଣା ପ୍ରଦାନ କରିଥିଲେ।ଏହି ଅବସରରେ “କିଶୋରକିଶୋରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ଉପଯୋଗୀ ଓ ଉତ୍ତମ ପୋଷକର ଆବଶ୍ୟକତା” ଏବଂ “ପରିବେଶ ସୁରକ୍ଷାରେ କିଶୋରକିଶୋରୀମାନଙ୍କ ଭୂମିକା” ପ୍ରସଙ୍ଗ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରୀ ଅଙ୍କିତା ଦୁଆନ, ସିଦ୍ଧି ସାହୁ ଓ କରିସ୍ମା ପଟେଲ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷକ ଇଶ୍ଵର ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକକୁ ଶିକ୍ଷକ ଶ୍ରୀପତି ସାହୁ ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପଧାନ, ସ୍ଵାସ୍ଥ୍ୟ ଓ ଆରୋଗ୍ୟ ଆମ୍ବାସାଡର ରାଜକୁମାରୀ ଭୁଏ,ଶିକ୍ଷକ ତେଜରାମ ସା, ବୋଧରାମ ବିଶ୍ବାଳ,ଅଙ୍କିତ ମହନ୍ତ,ପ୍ରଶାନ୍ତ ମହାପାତ୍ର, ଅମୂଲ୍ୟ ଭୋଇ ଏବଂ ପଦ୍ମଲୋଚନ ବିଶି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଜୁନିଅର୍ ରେଡକ୍ରସ,ଇକୋ କ୍ଲବ, ଶକ୍ତି କ୍ଲବ, ମାନକ କ୍ଲବ,ହୋମି ଭାବା ବିଜ୍ଞାନ କ୍ଲବ, ସାର୍ ସି ଭି ରମଣ ବିଜ୍ଞାନ କ୍ଲବର ସଦସ୍ୟ ଯୋଗ ଓ ପ୍ରାଣାୟାମ,ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ଅନୀତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।



