ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ଗସ୍ତ ନିମନ୍ତ୍ରଣକୁ ଗ୍ରହଣ କରି ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏନେଇ ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର ସୂଚନା ଦେଇଛନ୍ତି।
ତେବେ ଋଷିଆ ଅନ୍ତର୍ଜାତୀୟ ବ୍ୟାପାର ପରିଷଦ (ଆରଆଇଏସି) ଦ୍ୱାରା ଆୟୋଜିତ ‘ଋଷିଆ ଏବଂ ଭାରତ: ଏକ ନୂତନ ଦ୍ୱିପାକ୍ଷିକ ଏଜେଣ୍ଡା ‘ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ଭାରତ ଗ୍ରସ୍ତ ପାଇଁ ପ୍ରସ୍ତୁତି ଚାଲିଛି।
ଗତ ବର୍ଷ ନିର୍ବାଚନରେ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ବିଦେଶ ଗସ୍ତ ଋଷ ଥିଲା।ମୋଦି ଏହା ପୂର୍ବରୁ ୨୦୧୯ରେ ଏକ ଅର୍ଥନୈତିକ ସମ୍ମିଳନୀରେ ଯୋଗଦେବା ପାଇଁ ପୂର୍ବ ଭ୍ଲାଡିଭୋଷ୍ଟକ୍ ସହର ଗସ୍ତ କରିଥିଲେ। ଏହାପରେ ଜୁଲାଇ ୨୦୨୪ରେ ସେ ପୁନଃ ଋଷ ଗସ୍ତ କରିଥିଲେ ଯାହାକି ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ତେବେ ମୋଦି ଆଗରୁ ମଧ୍ୟ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ।ଲାଭରୋଭ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଋଷ ଚୀନ୍, ଭାରତ, ଇରାନ, ଉତ୍ତର କୋରିଆ ଏବଂ କମନୱେଲଥ ଅଫ୍ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍ସ (ସିଆଇଏସ) ଦେଶଗୁଡ଼ିକ ସହିତ ସମ୍ପର୍କ ବିସ୍ତାର କରୁଛି।



