ଇଣ୍ଡିଗୋ ଏୟାରଲାଇନ୍ସର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ୍ ଆଭିଏସନ୍ ଲିମିଟେଡ ଉପରେ ବହୁ କୋଟି ଟଙ୍କାର ଜରିମାନା ଲଗାଇଛି ଆୟକର ବିଭାଗ। ରବିବାର ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୧-୨୨ ମୂଲ୍ୟାଙ୍କନ (ଆସେସ୍ମେଣ୍ଟ) ବର୍ଷ ପାଇଁ ଆୟକର ବିଭାଗ ୯୪୪.୨୦ କୋଟି ଟଙ୍କାର ଫାଇନ କରିଛି ବୋଲି କମ୍ପାନୀ ସୂଚନା ଦେଇଛି। ତେବେ ଏହା ସମ୍ପୂର୍ଣ୍ଣ ଭୁଲ ଓ ଅଯଥା ଜରିମାନା ବୋଲି ଇଣ୍ଡିଗୋ ଦାବି କରିବା ସହିତ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କମ୍ପାନୀ କହିଛି।
ତେବେ ଏହି ନିର୍ଦ୍ଦେଶ ଏୟାରଲାଇନ୍ସ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଇଣ୍ଡିଗୋ କହିଛି। ଏ ନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “ଆୟକର କର୍ତ୍ତୃପକ୍ଷ ୨୦୨୧-୨୨ ମୂଲ୍ୟାଙ୍କନ ବର୍ଷ ପାଇଁ ୯୪୪.୨୦ କୋଟି ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଏହି ଆଦେଶ ଏକ ଭୁଲ ବୁଝାମଣା ଆଧାରରେ ଦିଆଯାଇଛି। କମ୍ପାନୀ ଧାରା ୧୪୩(୩) ଅନୁଯାୟୀ ମୂଲ୍ୟାଙ୍କନ ଆଦେଶ ବିରୁଦ୍ଧରେ ଆୟକର କମିଶନର (ଆପିଲ୍)ଙ୍କ ନିକଟରେ ଯେଉଁ ଅଭିଯୋଗ ଦାଖଲ କରିଥିଲା ତାହା ଖାରଜ ହୋଇଯାଇଇଛି ବୋଲି ଆୟକର ବିଭାଗ ଭାବିଛି।ତେଣୁ ବିଭାଗ ଏଭଳି ନୋଟିସ ପଠାଇଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୂଲ। କୌଣସି ଆବେଦନ ଖାରଜ ହୋଇ ନାହିଁ। ଏହା ଏବେ ବି ଚାଲିଛି ଏବଂ ମାମଲା ବିଚାରାଧୀନ ଅଛି।” ତେବେ ଏହି ନିର୍ଦ୍ଦେଶ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ଏଥିପାଇଁ କମ୍ପାନୀ ଆଇନର ସହାୟତା ନେବ ବୋଲି କହିଛି। ବିବୃତ୍ତିରେ କମ୍ପାନୀ ଆହୁରି କହିଛି ଯେ “ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ଜରିମାନା ଆଦେଶ ଆଇନ ଅନୁଯାୟୀ ନୁହେଁ ବୋଲି କମ୍ପାନୀର ଦୃଢ଼ ବିଶ୍ୱାସ। ଏବଂ ଏହା ତ୍ରୁଟିପୂର୍ଣ୍ଣ ଏବଂ ଅଯଥା। ତେଣୁ, କମ୍ପାନୀ ଏହାକୁ ବିରୋଧ କରିବ ଏବଂ ଉପରୋକ୍ତ ଆଦେଶ ବିରୁଦ୍ଧରେ ଉପଯୁକ୍ତ ଆଇନଗତ ପ୍ରତିକାର ଗ୍ରହଣ କରିବ।ତେଣୁ, ଉକ୍ତ ଆଦେଶ କମ୍ପାନୀର ଆର୍ଥିକ, କାର୍ଯ୍ୟ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ନାହିଁ।”ଆୟକର ନିର୍ଦ୍ଦେଶ ପାଇବା ପରେ, ଇଣ୍ଡିଗୋର ଶେୟାର ୦.୩୨ ପ୍ରତିଶତ ହ୍ରାସ ପାଇ ୫,୧୧୩ ଟଙ୍କାରେ ସ୍ଥିର ରହିଥିଲା। ବର୍ତ୍ତମାନର କାରବାର ଅନୁସାରେ, ଏୟାରଲାଇନ୍ସର ଷ୍ଟକ୍ ସ୍ଥିରତା ଦେଖାଇଛି ଏବଂ ବର୍ଷ ତମାମ ଆଧାରରେ ପ୍ରାୟ ୧୧.୩୬ ପ୍ରତିଶତ ବୃଦ୍ଧି ପାଇଛି।



