ଆଜି ବିଶ୍ୱ ପାଳୁଛି ପରିବେଶ ଦିବସ ୨୦୨୫ ଭାଷଣରେ ସୀମିତ ପରିବେଶ ଦିବସ
ତାଳଚେର, ୦୫/୦୬ ବିଶ୍ୱ ପରିବେଶ ଦିବସ ୨୦୨୫ ଟିକୁ ଆଜି ଦେଶ ପାଳୁଥିବା ବେଳେ ଏଥିନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ତାଙ୍କ ବାର୍ତାରେ ଲୋକଙ୍କୁ ପରିବେଶ ପ୍ରଦ୍ୟୁଷଣକୁ ନେଇ ବିଜ୍ଞାପନ ମାଧ୍ୟମରେ ସଚେତନ କରାଇଛନ୍ତି, ଏହା ନିହାତି ପକ୍ଷେ ସୁନ୍ଦରବାର୍ତା ଓ ସ୍ମୃତି ମଧୁର ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରୀତା ଉପରେ ଜନସାଧାରଣଙ୍କ ସମେତ ସରକାରୀ ସ୍ତରରେ ଏହାକୁ କେତେ ପାଳନ କରାଯାଉଛି ତାହାର ବାସ୍ତବତା ଉପର ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏପରିକି ପରିବେଶ ସନ୍ତୁଳିତ ହେଉଥିବାରୁ ଭାରତ ତଥା ରାଜ୍ୟ ସଙ୍କଟ ଦେଇ ଗତି କରୁଛି । ଏହାର ମୁଖ୍ୟକାରଣ ଯେଉଁ ଅନୁସାରେ ଜାତୀୟ ରାଜପଥ, ଖଣି, ଶିଳ୍ପ ପାଇଁ ଅନେକ ମାତ୍ରାରେ ଗଛକୁ କାଟି ଦିଆଯାଉଛି, ସେହି ଅନୁପାତରେ ବୃକ୍ଷ ରୋପଣ କରାଯାଉ ନାହିଁ ଏହା ଏକ ପ୍ରମୁଖ କାରଣ ହୋଇଥିବା ବେଳେ ବହୁଳ ମାତ୍ରାରେ ପଲିଥିନ, ପ୍ଲାଷ୍ଟିକ ବ୍ୟବହାର, ଯାନବାହାନ ଆଶାତୀତ ବୃଦ୍ଧି, ଖଣି ଓ ଶିଳ୍ପ ଦିନକୁ ଦିନ ବୃଦ୍ଧି ପାଇବା, ହୁହୁ ହୋଇ ଅଟ୍ଟାଲିକା ମାନ ଗଢ଼ି ଉଠିବା ଏବଂ ସେହି ମାତ୍ରାରେ ଚଳପ୍ରଚଳ ପାଇଁ କଙ୍କ୍ରିଟ ରାସ୍ତା ନିର୍ମାଣ ଓ ମାତ୍ରାଧିକ ଧୂଳି, ଧୂଆଁ, ଶଦ୍ଦପ୍ରଦ୍ୟୁଷଣ ଇତ୍ୟାଦି ଜଳବାୟୁ ପରିବର୍ତନ କରିବା ସହ ପରିବେଶକୁ ମଧ୍ୟ ବିଗାଡ଼ି ଦେଉଛି । ଉକ୍ତ ଦିବସଟି ପାଇଁ ସରକାର ପ୍ରଚାର ପ୍ରସାର ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଏହା କେଳବ ପ୍ରଶାସିନକ ସ୍ତରରେ କାଗଜ ପତ୍ରରେ ସୀମିତ ରହି ଯାଉଥିବା ପରିବେଶବିତ୍ ମାନେ ପ୍ରକାଶ କରୁଛନ୍ତି । ପୂର୍ବରୁ ଯେଉଁ ପରିମାଣାରେ ଜଙ୍ଗଲଜମି, ନଦୀ, ନାଳ, ଝରଣା, ପାଣିମାହାର ଗୁଡ଼ିକ ରହିଥିଲା ତାହା ଆଜି ଧ୍ୱଂସ ହେବାରେ ଲାଗିଛି । ଫଳରେ ଏହାର ଏକ ନଗ୍ନ ଉଦାହରଣ ଜଳଜଳ ହୋଇ ଦିଶୁଛି । ଏହି ଘଟଣାକୁ ନେଇ ପାଲଲହଡ଼ା ପ୍ରାକ୍ତନ ବିଧାୟକ ବିଭୂଧେନ୍ଦୁ ପ୍ରତାପ ଦାସ କ୍ଷୋଭ ପ୍ରକାଶ କରିବା ସହ ବାୟୁ ପ୍ରଦ୍ୟୁଷଣ ପ୍ରତିକାର ନିମନ୍ତେ ଓଡ଼ିଶା ମାନବଧିକାରଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ପ୍ରକାଶ କରିଥିଲେ କୋଇଲା ଖଣି, ଏନଟିପିସି ଏବଂ ନାଲକୋ ପାଇଁ ଅନୁଗୋଳ ଓ ତାଳଚେର ଦେଶର ଅତି ପ୍ରଦ୍ୟୁଷଣ ଅଂଚଳରେ ଭାବେ ପରିଚିତ ହୋଇଥିବା ବେଳେ ଉକ୍ତ ଦୁଇ ଅଂଚଳର ଶତକଡ଼ା ୮୦% ଲୋକ ଅଧିକାଂଶ ଛାତି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗ୍ରୀଷ୍ମ ଋତୁରେ ୪୫ରୁ ୪୮ଡ଼ିଗ୍ରୀ ତାପମାତ୍ରା ଏଠାରେ ବୃଦ୍ଧି ପାଇଥାଏ । ଏହାର ପ୍ରତିକାର ନିମନ୍ତେ ଅନୁଗୋଳ ଓ ତାଳଚେର ଅଂଚଳର ସମସ୍ତ ଗ୍ରାମରେ ପ୍ରଚୁର ମାତ୍ରାରେ ବୃକ୍ଷରୋପଣ ସହିତ ପ୍ରତି ଗ୍ରାମରେ ବଡ଼ବଡ଼ ପୋଖରୀ ନିର୍ମାଣ କରିବାକୁ ମାନବଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ମାନବ ଅଧିକାର କମିଶନ ହୃଦବୋଧ କରି ଏହି ଅଂଚଳ ଗୁଡ଼ିକର ପ୍ରତିକାର ନିମନ୍ତେ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବର୍ତମାନ ସୁଦ୍ଧା ଏହାର କୌଣସି କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ସେହିଭଳି ପ୍ରାକ୍ତନ ବିଧାୟକ ମହେଶ ସାହୁ ବ୍ରାହ୍ମଣୀ ନଦୀ ସୁରକ୍ଷା ଓ ପ୍ରଦ୍ୟୁଷଣକୁ ନେଇ ନଦୀକୂଳରେ ପ୍ରଚୁର ବୃକ୍ଷରୋପଣ କରିବା ଏବଂ ପଥର ପ୍ୟାଚିଙ୍ଗ ପାଇଁ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହାର କୌଣସି କାର୍ଯ୍ୟ ହୋଇ ପାରିଲା ନାହିଁ । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ ଏହି ପରିବେଶ ଦିବସ କେଳବ କାଗଜକଲମ ଓ ଫଟୋ ଉଠାରେ ସୀମିତ ହୋଇ ରହିଗଲା ।



