ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର- 376 ୟୁନିଟ୍ ରକ୍ତଦାନ କଲେ କର୍ମଚାରୀ ଓ ପରିବାରବର୍ଗ

ଢେଙ୍କାନାଳ, 24/06/2025: ବିଶ୍ଵ ରକ୍ତଦାନ ଦିବସ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ କମ୍ପାନୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଉତ୍ସାହଜନକ ଭାବେ ଅଂଶଗ୍ରହଣ କରିବା ସହ 376 ୟୁନିଟ୍ ରକ୍ତ ଦାନ କରିଥିଲେ । ଉତ୍ତମ ସିଂହ, ଭାଇସ ପ୍ରେସିଡେଣ୍ଟ ଅପରେସନ୍ସ, ଟାଟା ଷ୍ଟିଲ ମେରମଣ୍ଡଳୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ଉଦ୍ଘାଟନ କରିଥିଲେ । ସେ ନିଜେ ମଧ୍ୟ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ତାଙ୍କ ବକ୍ତବ୍ୟରେ ସେ ରକ୍ତଦାତାମାନଙ୍କୁ କୃତଜ୍ଞତା ଜଣାଇବା ସହ ଏଭଳି ଜୀବନ ରକ୍ଷାକାରୀ ପ୍ରୟାସରେ ସଭିଏଁ ସାମିଲ ହେବାକୁ ଆହ୍ବାନ କରିଥିଲେ ।ଶିବିରରେ ଟିଏସ୍ଏମ୍ର ଆଇରନ୍ ମେକିଂ ମୁଖ୍ୟ ଅମିତ ସିଂହ, ପାଓ୍ବାର ସିଷ୍ଟମ ମୁଖ୍ୟ ରାଜେଶ କୁମାର ଅଗ୍ରୱାଲ, ଏଚ୍ଆର୍ ବିପି ମୁଖ୍ୟ ଅମିତାଭ ଝା ଓ ସୁରକ୍ଷା ମୁଖ୍ୟ ବିଳାସ ଏନ୍ ଗାଏକ୍ ୱାଡ଼, ଡିଆରଆଇ ଆଣ୍ଡ ସିଣ୍ଟର ପ୍ଲାଣ୍ଟ ମୁଖ୍ୟ ରମେଶ କନନ ମନିଙ୍କ ସମେତ କମ୍ପାନୀର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।ଟିଏସ୍ଏମ୍ର ମେଡିକାଲ୍ ସେବା ବିଭାଗ ଦ୍ୱାରା ସୂଚାରୁ ରୂପେ ଶିବିର ସଂଚାଳନ ହୋଇଥିଲା । ଏଥିରେ ଡାକ୍ତର ଆଶିଷ ମହାପାତ୍ର, ଡାକ୍ତର ଅବିନାଶ ଦାଶ, ଡାକ୍ତର ନାରାୟଣ ପଣ୍ଡା, ଡାକ୍ତର ରଶ୍ମିତା ଭି., ରାଜେଶ ଶାହା ଓ ନର୍ସ ଏବଂ ପାରାମେଡିକାଲ୍ ଷ୍ଟାଫ୍ମାନେ ସହଯୋଗ କରିବା ସହ ସକ୍ରିୟ ଯୋଗଦାନ ଦେଇଥିଲେ ।ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବ୍ଲଡ ବ୍ୟାଙ୍କ ଏବଂ ସମ୍ବାଦ ଗ୍ରୁପ୍ର ‘ଆମ ଓଡ଼ିଶା’ ସଦସ୍ୟମାନଙ୍କ ସହଯୋଗରେ ରକ୍ତ ସଂଗୃହିତ ହୋଇଥିଲା । ବ୍ଲଡ୍ ବ୍ୟାଙ୍କ ଡାକ୍ତର ସ୍ୱରୂପ ରଞ୍ଜନ ସାହୁ, ରକ୍ତ କେନ୍ଦ୍ର ଅଧିକାରୀ, ଢେଙ୍କାନାଳ, ବିନୋଦିନୀ ଜୋଗାନିଆ, ନର୍ସିଂ ଅଧିକାରୀ ଏବଂ ଲ୍ୟାବ ଟେକ୍ନିସିଆନ୍ଙ୍କ ଏକ ଟିମ୍ ରକ୍ତ ସଂଗ୍ରହରେ ସକ୍ରିୟ ଭାବେ ଯୋଗଦାନ କରିଥିଲେ ।




