ହାଇଦ୍ରାବାଦ: ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା। ୩୭କୁ ଛୁଇଁଲା ମୃତ୍ୟୁ ସଂଖ୍ୟା। ସଙ୍ଗରେଡି ଜିଲ୍ଲା ପଶାମିଲାରାମ ସିଗାଚି କେମିକାଲ୍ ଫ୍ୟାକ୍ଟ୍ରିରେ ହୋଇଥିଲା ବିସ୍ଫାରଣ। ଏହି ଘଟଣାରେ ୩୫ ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ, ବିଭିନ୍ନ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାର ଛାତର ଭଗ୍ନାବଶେଷ ଉଡ଼ି ନିକଟବର୍ତ୍ତୀ ଗଛ ଉପରେ ପଡ଼ିଥିଲା।
ଜଣେ ଶ୍ରମିକ କହିଛନ୍ତି ଯେ ଜଳଖିଆ ପରେ ସେମାନେ କାମ ଆରମ୍ଭ କରିବାକୁ ଫେରିବା ମାତ୍ରେ ହଠାତ୍ ଏକ ଜୋରରେ ବିସ୍ଫୋରଣ ହୋଇଥିଲା ଏବଂ ଚାରିଆଡ଼େ ଧୂଆଁ ବ୍ୟାପି ଯାଇଥିଲା। ସେହି ସମୟରେ, ନିକଟସ୍ଥ ଏକ କାରଖାନାରେ କାମ କରୁଥିବା ଜଣେ ଶ୍ରମିକ କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଅଧ କିଲୋମିଟର ଦୂରରେ ଥିବା ଅନେକ ଘରର କାଚ ଝରକା ଭାଙ୍ଗି ଯାଇଛି।ଘଟଣା ସ୍ଥଳରେ ଚିତ୍କାର ଏବଂ ପାଟିତୁଣ୍ଡ ହେଉଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଆହତ ଏବଂ ମୃତ ଶ୍ରମିକଙ୍କ ଭୟଭୀତ ସମ୍ପର୍କୀୟମାନେ କାରଖାନା ପରିସର ବାହାରେ ଏକାଠି ହୋଇଥିଲେ। ଅନେକ ପରିବାର ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କୀୟଙ୍କ ବିଷୟରେ କୌଣସି ସୂଚନା ପାଇନାହାଁନ୍ତି। କାରଖାନାରୁ ଭଗ୍ନାବଶେଷ ବାହାର କରାଯାଉଛି। ଉଦ୍ଧାରକାରୀ ଦଳ ଏବେ ବି କାରଖାନା ଭିତରେ ଅଛନ୍ତି।ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏହି ଭୟଙ୍କର ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ସେ ମଙ୍ଗଳବାର ଘଟଣାସ୍ଥଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ପ୍ରଭାବିତ ପରିବାରକୁ ଭେଟିବେ ଏବଂ ରିଲିଫ୍ କାର୍ଯ୍ୟର ସମୀକ୍ଷା ମଧ୍ୟ କରିବେ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସି. ଦାମୋଦର ରାଜା ନରସିଂହ କହିଛନ୍ତି ଯେ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଗୁରୁତର ଆହତ ଶ୍ରମିକମାନଙ୍କୁ ସୁପର ସ୍ପେଶାଲିଟି ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମନ୍ତ୍ରୀ ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ।



