ଆଶୀର୍ବାଦ ଦୀପ ସହ ସେବା ସଂକଳ୍ପ ଅଭିଯାନର ପ୍ରଥମ ଦିବସ ପାଳିତ

ଅନୁଗୋଳ, ୧୭.୦୯ : ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ଓ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ମିଶନ ଶକ୍ତି ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସେବା ସଂକଳ୍ପ ଅଭିଯାନ – ୨୦୨୬ର ପ୍ରଥମ ଦିବସର କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଆଜିଠାରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ମାସ ବ୍ୟାପୀ ହେବାକୁ ଥିବା ଏହି ଅଭିଯାନରେ ବହୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ରହିଛି। ଶୈଳଶ୍ରୀକ୍ଷେତ୍ରରେ ହୋଇଥିବା ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, DPC, DPM ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଅଧିକାରୀମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ସଦସ୍ୟା, ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଆନନ୍ଦର ସହ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ, ରଙ୍ଗୋଲି ପ୍ରସ୍ତୁତି ଭଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସେବା ପକ୍ଷ ଅଭିଯାନରେ ଅନୁଗୋଳ ଜିଲ୍ଲାର ୨୨୫ଟି ଗ୍ରାମ ପଞ୍ଚାୟତ ସମେତ ଆଠମଲ୍ଲିକ, ବଅଁରପାଳ, ଛେଣ୍ଡିପଦା, କଣିହାଁ, କିଶୋରନଗର, ପାଲଲହଡ଼ା ଓ ତାଳଚେର ଆଦି ବିଭିନ୍ନ ବ୍ଲକର ପ୍ରମୁଖ ମନ୍ଦିର (ଯଥା: ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ମା’ ବୁଢ଼ୀ ଠାକୁରାଣୀ ମନ୍ଦିର, ମାହେଶ୍ୱର ମନ୍ଦିର, ଶିବ ମନ୍ଦିର ଓ ଶ୍ରୀରାମ ମନ୍ଦିର) ଏବଂ ଜିଲ୍ଲାର ସମସ୍ତ ମହାସଂଘ (BLF, GLF, DLF) ଓ ପରିବାରଗୁଡ଼ିକରେ ବ୍ୟାପକ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି। ଜନସାଧାରଣଙ୍କ ସେବା, ସଶକ୍ତିକରଣ ଓ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସଚେତନତା ବାର୍ତ୍ତାନେଇ ଏହି ଅଭିଯାନ ଆରମ୍ଭ ହୋଇଛି। ପାଲଲହଡାର ମା’ କୁଣ୍ଢେଇବିରା ମନ୍ଦିରରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଅନୁଗୋଳର ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଛେଣ୍ଡିପଦା ଜଗନ୍ନାଥ ମନ୍ଦିରରେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ପ୍ରଦୀପ ପ୍ରଜ୍ୱଳନ କରିଥିଲେ।




